Ki Gheni Manasare Karichi

କି ଘେନି ମାନସରେ କରିଛି
(Gourachandra Gajapati— Raga Nadaramakeri, Tala Aditala)
(ଗୌରଚନ୍ଦ୍ର ଗଜପତି— ରାଗ ନାଦରାମକେରୀ, ତାଳ ଆଦିତାଳ)

କି ଘେନି ମାନସରେ କରିଛି ବିନା ଦୋଷରେ
କୋପ ମୋ ଠାରେ ରେ ସଜନୀ । ଘୋଷା ।

କେତେ ପରି ମୁହିଁ କହିଲି ମନାଇ
ନ ଶୁଣିଲା ଥରେ ତା ଶ୍ରୁତି ପଥରେ
ଅଶ୍ରୁ ଧାର କରି ହାର
ବସିଲା ଗୁରୁ ଗୁମାନରେ । ୧ ।

ନ ଜାଣିଲି ବୋଲି ବସନ ପ୍ରସାରି
କହିଲେ ମୁଁ ଯେତେ ମୁଖ ମୋଡ଼ି ତେତେ
ନାରୀ ଈଶ ବହି ରୋଷ
ନ ଚାହେଁ ନେତ୍ର କୋଣେ ଥରେ । ୨ ।

କିଣାଦାସ ତୋର ମୁହିଁ ରାମାବର
ତୋ ହତାଦରରେ ମାର ଶର ମାରେ
କର ତ୍ରାହି ପ୍ରାଣସହୀ
ବୋଲୁ ଅଧିକ ରୁଷିଲା ରେ । ୩ ।

କରଜ ମୁନରେ ଗାର ଧରଣୀରେ
କାଟି ନିରନ୍ତର ଦେଲା ସେ ଅପାର
ଦୁଃଖ ମୋତେ ଏବେ ଚିତ୍ତେ
ଚିନ୍ତା ଅନଳ ଜାଳିଲା ରେ । ୪ ।

ଗଜପତି ଗୌରଚନ୍ଦ୍ର ଦେବ ମୋର
ଅଟେ ଗଳାହାର ବୋଲି ଘୋଷିବାର
ପାଶୋରିଲା ନବ ବାଳା
ଦେଖିଲେ ମୁଖ ପୋତିଲା ରେ । ୫ ।