Kehi Se Naba Nagara

କେହି ସେ ନବ ନାଗର
(Gourachandra Gajapati— Raga Todi, Tala Ekatali)
(ଗୌରଚନ୍ଦ୍ର ଗଜପତି— ରାଗ ତୋଡ଼ି, ତାଳ ଏକତାଳି)

ରେ ସହୀ କେହି ସେ ନବ ନାଗର
ଚାହିଁଦେବାରେ ତା ବଦନ ଚନ୍ଦ୍ରକୁ
ରହିଲା ନେତ୍ର ଚକୋର । ଘୋଷା ।

ଶକ୍ରଚାପ ଭୂରୁ ଚାରୁ ନୟନର
ଅଞ୍ଜନ ରଞ୍ଜନ ଗୁଣ
ବକ୍ର ଚାହାଣୀ ଶରେ ମାରିନେଉଛି
ହୃଦ ହରିଣର ପ୍ରାଣ । ୧ ।

ନବୀନ ତମାଳ ତରୁ ଜିତ କଳେ
-ବର ନୀରଦ ତାହାର
ଛବି ଦେଖିଦେଲେ ଦ୍ରବି ହୋଇଯିବେ
ପବି ଭୟେ ଗିରିବର । ୨ ।

ଚଳାପାଙ୍ଗୀ ମୋର ମାନସେ ମଣିଲି
ନିଶ୍ଚେ ଏ ଘନ କାଳିଆ
ଖେଳାଉଛି ହୃଦେ ହାର ଚପଳାକୁ
ଦେଖାଇ ଶିଖିଚୂଳିଆ । ୩ ।

କଟୀ ପୀତାମ୍ବର ଉପରେ କିଙ୍କିଣୀ
ସ୍ତନିତରେ ଦଶ ଦିଶ
ଘୋଟି ଆସି କି ମୋ ମନ ଚାତକକୁ
ଦେବ ପ୍ରେମ ଘନ ରସ । ୪ ।

ଏପରି ରମଣୀମଣି ବାଣୀ ଶୁଣି
ଗୋପ ନାରୀବର ସେହି
ଭୂପତି ତାରକାବୃନ୍ଦ ଚନ୍ଦ୍ର ଗୌର
-ଚନ୍ଦ୍ର ଗଜପତି
କହି । ୫ ।