Asa Tu Khare Priya Sakhi Re

ଆସ ତୁ ଖରେ ପ୍ରିୟ ସଖୀ ରେ
(Kisorachandra— Raga Pranta Baradi, Tala Aditala)
(କିଶୋରଚନ୍ଦ୍ର— ରାଗ ପ୍ରାନ୍ତବରାଡ଼ି, ତାଳ ଆଦିତାଳ)

ଆସ ତୁ ଖରେ ପ୍ରିୟ ସଖୀ ରେ । ଘୋଷା ।

ଅଭିନବ ବୟସୀ ସଙ୍କେତ କାଳ ଆସି
ବଳିଲାନି କରୁ ବିଳମ୍ବ କାହିଁକି ଏର । ୧ ।

ଏକା ହୋଇ ମୋହନ ତୋ ଦିଗରେ ନୟନ
ଦେଇ ରହିଥିବେ କେଳି କୁଞ୍ଜଦୁଆରେ । ୨ ।

ତୋର ଶ୍ରୀଅଙ୍ଗ ଝଳି କ୍ଷଣରୁଚିକି ବଳି
ପ୍ରକାଶେ ଘୋଡ଼ାଇଦିଅ ନୀଳ ଶାଢ଼ୀରେ । ୩ ।

ପଦୁ ମଣି ମଞ୍ଜୀର ଫେଇଦିଅ ମୋ କର
ଧ୍ୱନି ଯୋଗୁଁ ଜଣା ପଡ଼ିବାଟି ପଥରେ । ୪ ।

ରାଧା ଯାଇ ହରଷେ ମିଳୁ ସେ କୁଞ୍ଜ ପାଶେ
ଭାଷେ ଶ୍ରୀ କୃଷ୍ଣଙ୍କୁ ରାଜଇନ୍ଦ୍ର ଜୁହାରେ । ୫ ।