Mita Ana Ehi Para Brajaraja Kanha

ମିତ ଅନା ଅନା ଗୋ ଏହି ପରା ବ୍ରଜରାଜ କାହ୍ନା
(Krusna Chandra Nrupa— Raga Abhiri, Tala Jati)
(କୃଷ୍ଣଚନ୍ଦ୍ର ନୃପ— ରାଗ ଆଭୀରୀ, ତାଳ ଯତି)

ମିତ ଅନା ଅନା ଗୋ
ଏହି ପରା ବ୍ରଜରାଜ କାହ୍ନା ଗୋ । ଘୋଷା ।

ତ୍ରିଭଙ୍ଗୀରେ ଉଭା ହୋଇ ମୁରଲୀ ଅଧରେ ଦେଇ
ବାଙ୍କ ନୟନରେ ଚାହିଁ ହରୁଛି ଚେତନା ଗୋ । ୧ ।

ଶିରେ ଶିଖୀପୁଚ୍ଛ ଚୂଡ଼ା ତହିଁ ସେବତୀ ପାଖୁଡ଼ା
ଯୁବତୀଙ୍କ ଘରବୁଡ଼ା ସେ କାଳିଆ ସୁନା ଗୋ । ୨ ।

ଦେଖି ସେ ମୋହନ ମୂର୍ତ୍ତି ରହିବ କାହାର ଧୃତି
ହେଲେ ପତିବ୍ରତ ମତି ନ ହେବ କି ଚୂନା ଗୋ । ୩ ।

ଶ୍ରୀମତୀ ବୋଲନ୍ତି ଦୂତୀ ସେ ମୋ ନୟନ ସମ୍ପତ୍ତି
ସେ ପୟରେ କୃଷ୍ଣଚନ୍ଦ୍ର ନୃପତି ଭାବନା ଗୋ । ୪ ।