(ଲୋକନାଥ ପଟ୍ଟନାୟକ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)
ଦେଖ ପ୍ରାଣ ମିତଣୀ ରସା ରସାଇଲାଣି
ମଧୁରେ ମଧୁ ବସନ୍ତ
ବିତରି ମକରନ୍ଦ ବହଇ ମନ୍ଦ ମନ୍ଦ
ସୁଗନ୍ଧ ଗନ୍ଧବହେ ମନେ ବହି ଆନନ୍ଦ
(ପଡ଼ି)
ତମାଳ ବନେ ପିକ ଗାଉଛି ମାଙ୍ଗଳିକ
ନଳିନୀ ପାଶେ ଅଳି କରେ ଅଳି ରସିକ
ସାରସ ସୁରସରେ ହେବାକୁ ଅଭିଷେକ
କରନ୍ତି ସୁରସିକେ ମାନସେ ମାନସିକ । ୧ ।
ଋତୁରାଜ ବିରାଜି ଦିଗବଧୂକୁ ଆଜି
ସୁବେଶେ ସାଜିଦେଲାଣି
ମଳୟ ବହିଲାଣି କାନେ ତ କହିଲାଣି
ଉଠ ସଜନୀ ଦୁଃଖ ରଜନୀ ପାହିଲାଣି
(ପଡ଼ି)
ପୁଲକେ ପୂରେ ତନୁ ସର ପବରେ ମନୁ
ଭାସି ଆସଇ ବଂଶୀ ନିଃସ୍ୱନ ଦୂର ବନୁ
ଝରେ ସୁଧା ନିର୍ଝର ନୀଳ ନିର୍ମଳ ତନୁ
ମାରେ କି ବାଣ ରାମା ବାରଣେ ଫୁଲଧନୁ । ୨ ।