(ବନମାଳୀ— ରାଗ ବସନ୍ତ, ତାଳ ଯତି)
କାହିଁକି ଏଡ଼େ ରୁଷାଣି କିଶୋରୀ ମଣି
ନୟନୁ ଝରାଉ ପାଣି
ନୋହେଁ କି ସେ ତୋର ନୋହୁଁ କି ତୁ ତାର
ବୃଥା ସିନା ଏ ଭାଳେଣି । ଘୋଷା ।
ଯେଉଁ କଳା ଦ୍ରବ୍ୟେ ସ୍ନେହ ଅତି ଲୋଭେ
କରିଥାଉ ସୁଲକ୍ଷଣୀ
ଏ କି ବିପରୀତ କହ ପ୍ରାଣମିତ
ସେ କିମ୍ପା ଦୂର ହେଲାଣି । ୧ ।
ଯାର ଦେଖା ଆଶେ ଯମୁନାର ପାଶେ
ଏଣେ ତେଣେ ତୋ ଚାହାଣୀ
ଏବେ ତାର ନାମ ଧଇଲେ ବିଷମ
କୋପ ପରକାଶୁ ଆଣି । ୨ ।
ଯାର ପାଦ ଧୂଳି ଅଙ୍ଗେ ହେଉ ବୋଳି
ରସିକାବର ସିହାଣୀ
ଆଜି ପୁଣି ତାକୁ ପାଦେ ଠେଲିବାକୁ
ସତ ବଳିଲା କି ଘେନି । ୩ ।
ଯାର ଅଙ୍ଗ ବାସ ନିତ୍ୟେ କରି ଆଶ
ତୋଷୁଥାଉ ରଜକିନୀ
ବୋଲେ ବନମାଳୀ ତା ଅଳ୍ପ ଦୋଷକୁ
ନ କହ ଏ ଚଳ ବାଣୀ । ୪ ।