Kisori Mani Ghena Mo Mana

କିଶୋରୀ ମଣି ଘେନ ମୋ ମନା
(BanamaliEkatali)
(ବନମାଳୀଏକତାଳି)

କିଶୋରୀ ମଣି ଘେନ ମୋ ମନା ରେ
ଏକା ହୋଇ ନ ଯିବୁଟି ଯମୁନା ରେ । ଘୋଷା ।

ତୁ ତ ନୂତନା ରେ ଗଜଗମନା
ସାରିଦେବ ସେ ତୋ ସର୍ବସ୍ୱ ସିନା ରେ । ୧ ।

ଶ୍ୟାମସୁନ୍ଦର ନାମ ଅଟେ ଯା ନା
ବାମନେତ୍ରୀଙ୍କର ମୋହିନୀ ବାନା ରେ । ୨ ।

କେତେ ଭଙ୍ଗୀ ଜାଣେ ନନ୍ଦର କାହ୍ନା
ଯାହାକୁ ଦେଖେ ତା ଠାରେ ତା କୁହ୍ନା ରେ । ୩ ।

ଚନ୍ଦ୍ରା ପରି ପଡ଼ିଯିବୁଟି ଚିହ୍ନା
ଦାଣ୍ଡେ ଘାଟେ ବ୍ରଜ ବଜାରେ କିନା ରେ । ୪ ।

କହେ ବନମାଳୀ ଆରେ ସୁମନା
ଜାଣିଛି ଆଗୁଁ ମୁଁ ତୋର ଭାବନା ରେ । ୫ ।