(କବିସୂର୍ଯ୍ୟ— ରାଗ ଖଣ୍ଡକାମୋଦୀ, ତାଳ ଏକତାଳି)
ଗଲା ସବୁ ସରି ରେ ନବକିଶୋରୀ । ଘୋଷା ।
ଯାହା ଶ୍ୟାମ ଅଙ୍ଗ ଚୁମ୍ବି ଆସିବା ସମୀର
ଛୁଇଁଲେ କେବଳ ହୋଇ ରସେ ଜରଜର
ପୁଲକେ ଭରତି କରୁ ମୃଦୁ କଳେବର
ସେ ଯେବେ ହୋଇଲେ ପର । ୧ ।
ଯାହା ବେଣୁ ଶୁଣି ଏକା ହୋଇ ନିଶୀଥରେ
ବୋଲିନାହୁଁ ଦିନେ ଆସ ଯିବା ମିଶି ଥରେ
ହୃଦ ମଦନ ବିଭବ ସମୁଲ୍ଲସି ଥରେ
ବିଗ୍ରହ ତାହା ସାଥରେ । ୨ ।
ଦୂତୀ କର ଧରି କହି ଘେନାଇଁ ଘେନାଇଁ
ନୀପ ନିକୁଞ୍ଜ ପୁଞ୍ଜକୁ ଅନାଇଁ ଅନାଇଁ
ଦିନ ହରୁ ସୁମଝରା ବନାଇ ବନାଇ
ମୀନନେତ୍ରା ଯାହା ପାଇଁ । ୩ ।
ସ୍ତନେ ଲଦି ଚୁମ୍ବିବାର ଯା ପାଦ କମଳେ
ମନେ ବାଞ୍ଛିବେ କୁବେର ବାମାଙ୍କୁ ନ ମିଳେ
ଚୁମ୍ବିଲେ ସେ ତୋ ପଦ ଚନ୍ଦ୍ରକୁ ଚୂଳାଞ୍ଚଳେ
ଚାହିଁଦେଲୁ ନାହିଁ ହେଳେ । ୪ ।
ରସବତୀ ଭଳି ନୋହୁ ଏ ଅପସନ୍ଦର
ଆସ ଏବେ ଯିବା କେଳି ମଞ୍ଜରୀ ମନ୍ଦିର
ବନ୍ଦନ କରଇ ମୃଦୁ ପଦାରବିନ୍ଦର
ତୋଷ ଶ୍ୟାମଳ ସୁନ୍ଦର । ୫ ।
ଅଷ୍ଟଦୁର୍ଗ ନାଥ କହେ ହୋଇ ଅଭିଳାଷୀ
ମିତଣୀ କଥିତ ବଚନରେ ଶ୍ରୁତିପାଶୀ
ଲମ୍ପଟ ହେବାରୁ ହୋଇ ଦରସ୍ଫୁଟ ହାସୀ
ବିଜେ କଲେ ବୀଣାଭାଷୀ । ୬ ।