Prabhu Madana Mohana

ପ୍ରଭୁ ମଦନମୋହନ
(DinakrusnaAdatali)
(ଦୀନକୃଷ୍ଣଆଡ଼ତାଳି)

ପ୍ରଭୁ ମଦନମୋହନ
କରୀନ୍ଦ୍ର ଦନ୍ତ ପଲଙ୍କ ତେଜି ପ୍ରଭୁ
ନରେନ୍ଦ୍ର ଚାପେ ଗମନ । ଘୋଷା ।

ଧନ୍ୟ ବେଶକାରୀ କି ସଜାଡ଼ କରି
ଖଞ୍ଜିଅଛି ମାଳମାନ
ଚନ୍ଦନ ଯାତ୍ରାକୁ ବିଜେ କରିଛନ୍ତି
ସିନ୍ଧୁସୁତା ପ୍ରାଣଧନ । ୧ ।

ଇନ୍ଦ୍ର ନଈଋତ ବରୁଣ କୁବେର
ଧାତା ଆଦି ଦେବଗଣ
ଖଦି ଆଲଟ ଚାମର ପଙ୍ଖା ଘେନି
ବ୍ରହ୍ମା ଲେପନ୍ତି ଚନ୍ଦନ । ୨ ।

ଲକ୍ଷେ ଚନ୍ଦ୍ରଦୀପ ଦିହୁଡ଼ି ଜଳୁଛି
ଦିଶୁଅଛି ଝଟଝଟ
ପଟୁଆରୀମାନେ ଆଗରେ ଚାଲନ୍ତି
ମାହାରୀ କରନ୍ତି ନାଟ । ୩ ।

କି ଶୋଭା ଦିଶୁଛି ପୁଷ୍ପକ ବିମାନ
ମୋହୁଅଛି ତ୍ରିଭୁବନ
ପଟୁଆରେ ବିଜେ କରି ଯାଉଛନ୍ତି
ସଙ୍ଗେ ଘେନି ଭକ୍ତଜନ ୪ ।

ନରେନ୍ଦ୍ର କୋଣରୁ କି ଶୋଭା ଦିଶୁଛି
ଜଗମୋହନକୁ ବୋଲି
ଭୋଦେବ ମଣିମା ଡାକ ଶୁଭୁଅଛି
ମହା ମତ୍ତଗଜ ଚାଲି । ୫ ।

ନରେନ୍ଦ୍ର ତଡ଼ାଗ ଚଉପାଶେ ବେଢ଼ି
ଜନେ ଦେଖନ୍ତି ଚନ୍ଦନ
ଧନ୍ୟ ସେହୁ ପୁରୀ ଧନ୍ୟ ସେହୁ ନାରୀ
ଆଗେ କରନ୍ତି ଦର୍ଶନ । ୬ ।

ତପନ ତନୟା ତଟରେ ମୋହନ
କରନ୍ତି ମୁରଲୀ ସ୍ୱନ
ବୋଲେ ଦୀନକୃଷ୍ଣ ତୁମ୍ଭ ଶ୍ରୀଚରଣେ
ନିରନ୍ତରେ ରହୁ ଧ୍ୟାନ । ୭ ।