Madana Mohana Brundabana Dhana

ମଦନ ମୋହନ ବୃନ୍ଦାବନ ଧନ
(Mohana Gosein— Raga Malaba Kousika, Tala Jati)
(ମୋହନ ଗୋସେଇଁ— ରାଗ ମାଳବ କୌଶିକ, ତାଳ ଯତି)

ମଦନ ମୋହନ ବୃନ୍ଦାବନ ଧନ
ନମାମି ହେ ଶ୍ରୀହରି
(ପଡ଼ି)
କାନ୍ତି ନବଘନ ପଦ୍ମ ଲୋଚନ
ଭାଲେ ଚନ୍ଦନ ଇନ୍ଦୁ ନିନ୍ଦନ
ଅଧର ମୋହନ ବଂଶୀ ବଦନ
କୋଟି ରତିପତି ଦର୍ପହାରୀ । ଘୋଷା ।

ବହୁ ରତ୍ନ ହାର ଦେଲି ଉପହାର
ସୁସମାଦି ଏ ସାରି
(ପଡ଼ି)
ରସିକ ନାଗର ସୁରସ ସାଗର
ଗୋବର୍ଦ୍ଧନ ଧର କାଳୀ ବିଷହର
ନନ୍ଦକୁମର ଯୁବତୀ ଚିତ୍ତଚୋର
ଦୟା କର ବାରେ ରାବଣାରି । ୧ ।

ଶ୍ରୀ ରାଧା ନାୟକ ଭକ୍ତି ପ୍ରଦାୟକ
ଜୟ ନୀଳାଦ୍ରି ବିହାରୀ
(ପଡ଼ି)
ଯାମଳାର୍ଜ୍ଜୁନ ଭଞ୍ଜନ ଘନ
ଶ୍ୟାମ ହେ ଦେବ ଦେବ ବନ୍ଦନ
କେଶବ ମର୍ଦ୍ଦନ ତ୍ରିତାପ ଖଣ୍ଡନ
ଦୟା ହେଉ ଦୀନେ ପ୍ରେମ ବାରି । ୨ ।

ନ କଲେ କରୁଣା ଆହେ ଦୀନବନ୍ଧୁ
ନିଶ୍ଚେ ଗଲିଟି ସରି
(ପଡ଼ି)
ଭାଷଇ ମୋହନ ହେ ମଧୁସୂଦନ
ଗୋପୀ ଭାବେ ହୃଦ ହୁଅଇ ଉଚ୍ଛନ୍ନ
ନିକୁଞ୍ଜ କାନନେ କରି ବଂଶୀ ସ୍ୱନ
ଦେଖିବା ନୟନେ ବାରେ ରାସେଶ୍ୱରୀ । ୩ ।