Kede Chhanda Jane Lo Sahi

କେଡ଼େ ଛନ୍ଦ ଜାଣେ ଲୋ ସହି
(Banamali— Raga Misra Mukhari, Tala Rupaka)
(ବନମାଳୀ— ରାଗ ମିଶ୍ରମୁଖାରୀ, ତାଳ ରୂପକ)

କେଡ଼େ ଛନ୍ଦ ଜାଣେ ଲୋ ସହି
ନନ୍ଦ ରାଜାର ଟିକି ପିଲାଟି
ଟିକି ପିଲା ବୋଲି ଯାହାକୁ ବୋଲନ୍ତି
ଚିରି ପକାଇଲା ବକାର ପାଟି । ଘୋଷା ।

ଜନମ କାଳେ ଏନ୍ତୁଡ଼ିଶାଳେ
କୁଆଁ କୁଆଁ ହୋଇ ରାବିଲା ଛଳେ
ରହିଣ କୋଳରେ କ୍ଷୀର ସହିତରେ
ପୂତନା ଅସୁରୀ ପ୍ରାଣ ନେଲାଟି । ୧ ।

ନ କରି ଦକା ନାଶିଲା ଶଙ୍କା
ଚନ୍ଦନ ପାଟିଆ ଚିତ୍ତ ଚମକା
ଶକଟା ଧେନୁକା ବକା ଦର୍ପ ଦଳି
ବନର ଅନଳ ଗିଳି ଦେଲାଟି । ୨ ।

ଇନ୍ଦ୍ର ବିବାଦେ ନିର୍ଘାତ ନାଦେ
ଶିଳା ବରଷିଲା ଅତି ପ୍ରମାଦେ
ଦେଖିଛ ତ ହାଦେ ବିନା ଅବସାଦେ
ମନ୍ଦର ଗିରିକି ଟେକି ଥିଲାଟି । ୩ ।

ସ୍ନାହାନ କାଳେ ଯମୁନା ଜଳେ
ନନ୍ଦ ବୁଡ଼ିଗଲେ ବୋଲି ଅଥଳେ
କଉତୁକ କରି ତାହାଙ୍କୁ ଉଦ୍ଧରି
ଗୋପରେ ପତାକା ଉଡ଼ାଇଲାଟି । ୪ ।

ସେଦିନ କଂସ ହୋଇଣ ରୋଷ
ଲକ୍ଷେ ପଦ୍ମ ପାଇଁ ଦେଲା ଆଦେଶ
ପଦ୍ମତୋଳା ରସ କରିଣ ପ୍ରକାଶ
ବଳେ ଛଳି କାଳୀ ଦଳି ଦେଲାଟି । ୫ ।

ବିସ୍ତାରି ପାଟି ଖାଇଲା ମାଟି
ମାଆ ଯଶୋବନ୍ତୀ ଛାଟରେ ପିଟି
ଆକଟନ୍ତେ ଥରେ ତା ପେଟ ଭିତରେ
ଅଶେଷ ବ୍ରହ୍ମାଣ୍ଡ ଦେଖାଇଲାଟି । ୬ ।

କେ ଜାଣେ ଲୋ ମା ତାହାର ମହିମା
ବତ୍ସା ହରିନେଲା ସେ ବେଦ ବ୍ରହ୍ମା
କହେ ବନମାଳୀ ତାକୁ ପୁଣି ଛଳି
ଲକ୍ଷେ ଧେନୁ ବତ୍ସା ଜାତ କଲାଟି । ୭ ।