Nua Ghara Khandi Dine Puruna Heba

ନୂଆ ଘରଖଣ୍ଡି ଦିନେ ପୁରୁଣା ହେବ
(Bauli Dasa)
(ବାଉଳି ଦାସ)

ନୂଆ ଘରଖଣ୍ଡି ଦିନେ ପୁରୁଣା ହେବ
ମାରିବ ଶୂନ୍ୟ ଲହଡ଼ି ଥୟ ନୋହିବ । ଘୋଷା ।

ଉଇ ଚରିଗଲେ ଗଣ୍ଠି ବତାମାନ ଯିବ ଫିଟି
ଛାଉଣି ଉଡ଼ିଣ ଗଲେ କାନ୍ଥ ପଡ଼ିବ । ୧ ।

ରୁଅଯାକ ଅଛି ଧରା ଟଳିଲେଣି ବେନି ଓରା
ଚମକ ପାଇଣ ପାରା ଉଡ଼ିଣ ଯିବ । ୨ ।

ସେ ଘର ପାଞ୍ଚସେଣିଆ ଦଶଦ୍ୱାର ତ୍ରିକୋଣିଆ
ରୁଅଯାକ ଘୋଡ଼ଖିଆ ଗଳିପଡ଼ିବ । ୩ ।

ବହିଲାଣି ଅଣଚାଶ କେଭେଁ ନ ରଖିବ ବାସ
କୁଟୁମ୍ବ ଜନ ପଚିଶ ମରିବେ ସର୍ବ । ୪ ।

ଏକାକ୍ଷର ଖମ୍ବ ପୋତି ଘରକୁ ରଖ ସାଇତି
ବାଉଳି ଦାସର ମତି ନିଶ୍ଚଳେ ଥିବ । ୫ ।