Garaje Badala Bhima Garajane

ଗରଜେ ବାଦଲ ଭୀମ ଗରଜନେ
(Kabichandra Kali Charan— Raga Megha, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ମେଘ, ତାଳ ଏକତାଳି)

ଗରଜେ ବାଦଲ ଭୀମ ଗରଜନେ
ଘନ ତିମିର ଘେରି ଆସେ ରେ
ସାଗର ବନ ଗିରି ଗହନ ପ୍ରାନ୍ତର
ଥରଇ ଦାନବ ପ୍ରାସରେ । ଘୋଷା ।

ଲୁପ୍ତ ଶଶଧର ସୁପ୍ତ ତାରା
ଦୀପ୍ତ ରବିକର ଦୀପ୍ତିହରା
ପ୍ରଳୟ ତାଣ୍ଡବେ କମ୍ପେ ଧରଣୀ
ଅଟ୍ଟ ଉତ୍କଟ ହାସରେ । ୧ ।

ତ୍ରାହି ରବ ଶୁଭେ ଭୁବନେ ଭୁବନେ
ଜାଗେ ଶିହରଣ ଜୀବନ ଜୀବନେ
ଶାନ୍ତି ସୁଖ ଶିରୀ ନେଲା ସେ ଅପସରି
ତରୀ ଅଥଳ ଜଳେ ଭାସେ ରେ । ୨ ।