(ଗୋପାଳକୃଷ୍ଣ— ରାଗ ଭୈରବୀ, ତାଳ ଖେମଟା)
ଅନୁସରିତ ପ୍ରଭୁ କାଳ ଯାକ ଗଲା ସରିତ
କଣ ବିତରଣ କଲେ କେତେ ଉଣା
ହୁଅନ୍ତା କରୁଣା ସରିତ । ଘୋଷା ।
ଅଶରଣ ଜନ ବନ୍ଧୁ ପଣ ଯଶ
ସଂସାରେ ହୋଇଛ ଉଦିତ
ପଥର ହୋଇ ପଥରେ ପଡ଼ିଥିଲା
ଅହଲ୍ୟାକୁ ଦେଲ ତାରିତ । ୧ ।
ପାଞ୍ଚିଳୀକି ଦୁଃଶାସନ ଘଞ୍ଚାଳିଲା
ବଞ୍ଚାଇଲ ବାସ ଦେଇତ
ଘୁଞ୍ଚାଇଲ ନାହିଁ ମୋ ଛାର କଦନ
ପୋଛାଇଲ ନେତ୍ରୁ ବାରି ତ । ୨ ।
କାହିଁ ଥିଲା ଚକ୍ର କାହିଁ ଥିଲା ନକ୍ର
ପଲକ ପତନ ନୋହୁ ତ
ଛିଡ଼ିଗଲା ମଥା ରହିଗଲା କଥା
ଡାକିଲା ମାତ୍ର କରୀ ତ । ୩ ।
କାଳକିଙ୍କର ଭୟରେ ଅଜାମିଳ
ପୁତ୍ରୋପଚାରରେ ଡାକି ତ
ପରମ ପଦ ପାଇଲା ଆପଣଙ୍କ
ନାମ ମହିମା ଏପରି ତ । ୪ ।
ନିରୁପାଧି କୃପାକର ବୋଲି ବିଧି
ଭବାଦିରେ ଆଉ କଥିତ
ମୁଁ କଲା ଦୋଷ କି ନାଶିଛ କି
ବକୀ ପିଆଉଁ ତା ଦୁରିତ । ୫ ।
ଗୋପାଳକୃଷ୍ଣ କହେ ଜଗନ୍ମଙ୍ଗଳ
ଯାହା କରିବ ତୁମ୍ଭ ଚିତ୍ତ
ଆପଣା କୃପାଳୁପଣକୁ ବଳି ମୋ
ଦୁଷ୍କୃତ ନୁହଇ ଭାରି ତ । ୬ ।