Abana Akhyara Japa

ଅବନା ଅକ୍ଷର ଜପ
(Sisu Ananta Dasa— Raga Madhumanjari, Tala Adatali)
(ଶିଶୁ ଅନନ୍ତ ଦାସ— ରାଗ ମଧୁମଞ୍ଜରୀ, ତାଳ ଆଡ଼ତାଳି)

ଅବନା ଅକ୍ଷର ଜପ
ଯିବ କୋଟି ଜନ୍ମ ପାପ
ଅସାଧନା ମାର୍ଗେ ରହି
ଅମାପକୁ ହୃଦେ ମାପ । ଘୋଷା ।

ଦନ୍ତ ଓଷ୍ଠ ନ ହଲିବ
ଶିର କଣ୍ଠ ନ କମ୍ପିବ
ମନ୍ତ୍ର ଯନ୍ତ୍ର ନାହିଁ ତହିଁ
ଦେଖିବ ବ୍ରହ୍ମ ସ୍ୱରୂପ । ୧ ।

ବ୍ରହ୍ମା ବିଷ୍ଣୁ ସଦାଶିବ
କରି ନ ପାରନ୍ତି ଠାବ
ଶେଷଦେବ ନ ପାଇଲେ
କୋଟି ଜନ୍ମ କରି ତପ । ୨ ।

ସସ୍ରଦଳଠାରେ ଅନା
ବିଜେ ନନ୍ଦସୁତ କହ୍ନା
ବାମେ ଭାନୁରାଜଜେମା
ଝଟଝଟ ବିଦ୍ୟୁଭାବ । ୩ ।

ବାଜୁଛି ସପତ ସ୍ୱର
ଶୁଭଇ କେଡ଼େ ମଧୁର
ସେ ସ୍ୱରେ ହୋଇ ବିଭୋର
ଜୀବ କରୁଥାଇ ଧାପ । ୪ ।

ନ ଯା ତୀର୍ଥବ୍ରତ କରି
ହୃଦେ ଜପ ରାମ ହରି
କହନ୍ତି ଅନନ୍ତ ଶିଶୁ
ତରିବୁ ଏ ଭବକୂପ । ୫ ।