(ଲକ୍ଷ୍ମୀନାରାୟଣ ଦେବ— ରାଗ ଆନନ୍ଦଭୈରବୀ, ତାଳ ଯତି)
ରାଧାକାନ୍ତ ରାଧାମୋହନ ହେ ଗୋବିନ୍ଦ
ଲବେ ଦୟା ନାହିଁକି
(ପଡ଼ି)
କଞ୍ଜ ଖଞ୍ଜନ ଗଞ୍ଜନାକ୍ଷଣ
ରଞ୍ଜନୀୟ ଗଜେନ୍ଦ୍ର ମୋକ୍ଷଣ
ଯାମଳାର୍ଜ୍ଜୁନ ଭଞ୍ଜନାଚ୍ୟୁତ
ଶ୍ୟାମଘନ ଅଭିରାମ କୃଷ୍ଣ । ୧ ।
ହେ ନନ୍ଦନନ୍ଦନ ବ୍ରହ୍ମାଦି ବନ୍ଦନ
ଏ ନିରାଶ କାହିଁକି
(ପଡ଼ି)
ହାର କୌସ୍ତୁଭ ଗାର ଶୋଭିତ
ନାରକାଦି ନିବାରଣ କୃତ
ସାର ମୁରଲୀଧାରୀ ଦୁଷ୍କୃତ
ଭାର ହର ଦନୁଜାରି ରାମ । ୨ ।
ଆଜନ୍ମ କାଳରୁ ତୁମ୍ଭ ସେବା ବିନୁ
ଆନେ ମୋର ଚାହିଁକି
(ପଡ଼ି)
ରାସଉତ୍ସବକାରୀ ଶୋଭିତ
ହାସ ଶୋଭନ ଦାସ ବାଞ୍ଛିତ
ଦାସକୁ ନ ବିନାଶ କିଞ୍ଚିତ
ଆଶ ହୁଅ ବ୍ରଜବାସ ଶ୍ୟାମ । ୩ ।
ଲକ୍ଷ୍ମୀନାରାୟଣ ଦେବ ମହାରାଣ
ରାଜନକୁ ନ ଚାହିଁକି
(ପଡ଼ି)
ଶ୍ୟାମସୁନ୍ଦର ଛାମୁରେ ରହି
ନାମ କୀର୍ତ୍ତନ କାମନା ଏହି
ତାମରସ ପଦେ ଧ୍ୟାନ ରହୁ ମତି
ବାମ ନୁହଁ କୋଟି କାମ ମୂର୍ତ୍ତି । ୪ ।