(ଗୌରହରି— ରାଗ ରାମକେରୀ, ତାଳ ଯତି)
ଏ କି ରୀତି ଗଜଗତି
ମଥା ପୋତି ଚାହୁଁ କ୍ଷିତିରେ । ଘୋଷା ।
କାର ଗିର ତୋର ଚିତ୍ତେ ଧରି
ପର ପରି କଲୁ ଜବାଧରୀ
ହରପର ବାର ବାର
ଶର ମାରେ ମୋର ଛାତିରେ । ୧ ।
କାଶହାସ ପରକାଶ କରି
ଦାସେ ତୋଷ ବହ କୃଶୋଦରୀ
ଯଶ ବାସବନଗରୀ
ପରିଯନ୍ତେ ହେଉ ଖ୍ୟାତିରେ । ୨ ।
ଖେଳା ଡୋଳା ଢଳା ଆରେ ବାଳା
ବେଳେ କୋଳେ ବସ ପ୍ରେମଶୀଳା
ଷୋଳକଳା ଶଶୀମୁଖ
କଳା କଲେ ନାହିଁ ଗତିରେ । ୩ ।
କରକରଦନୀ କୃପା କର
କର ଧରି କହୁଅଛି ତୋର
କର ମାନ ମନୁ ଦୂର
କର ମୋ ସଙ୍ଗେ ପୀରତିରେ । ୪ ।
ନାଗର ବିନୟ ଗିର ଶୁଣି
ଗୁମାନ ତେଜି ଶ୍ୟାମ ମୋହିନୀ
ଦ୍ୱିଜ ଗୌରହରି ଭଣି
ଯୁଗଳ ପାଦକୁ ଚିନ୍ତିରେ । ୫ ।