(ଗୌରହରି— ରାଗ ପୂରବୀ, ତାଳ ଆଦିତାଳ)
ବିଷ୍ଣୁପଦକୁ ଯେ ଲଭେ କି ଭାଗ୍ୟ ଲଭଇ
ଅଜୀବ କାଗଜ ଚକି ଦେଖ ଦେଖ
ସଜୀବ ହୋଇ ଗର୍ଜଇ । ଘୋଷା ।
ଅଶେଷ ସେ ପାଦପଦ୍ମର ମହିମା
ଶେଷ ନ ପାରିବେ କହି
ଅପଠ ସପଠ ସିଦ୍ଧି ଆଦରିଛି
ଗୁଣବନ୍ତେ ଗର୍ବ ବହି । ୧ ।
ଯେଉଁ ପଦ ସାହା ଲଭି ଯାଇ କାହା
ଠାରେ ନ ରହଇ ଦୃଷ୍ଟି
ଦେଖ ସାକ୍ଷାତରେ କେଡ଼େ ବଡ଼ ପ୍ରଭୁ
ସୂର୍ଯ୍ୟଙ୍କୁ କରିଛି ପିଠି । ୨ ।
ଅଭୟ ଚରଣ ଶରଣଫଳକୁ
ଶ୍ରବଣ କରି ସୁମନ
ଆପଣା ପଦବୀ ଦତ୍ତ କରିଛନ୍ତି
ଧ୍ୱଜ ଅର୍ଦ୍ଧଚନ୍ଦ୍ର ଚିହ୍ନ । ୩ ।
ଆନନ୍ଦେ ଯାଇ ଆଣିଲେ ଆସେ କଷ୍ଟେ
ଅତି ଆକୁଳକୁ ବହି
ଲଭିଲେ ସେ ପାଦ ଲୋଭ ନ ଛାଡ଼ଇ
ଗଉରହରି କହଇ । ୪ ।