Asa Nikunjaku Srimati

ଆସ ନିକୁଞ୍ଜକୁ ଶ୍ରୀମତୀ
(Gourahari— Raga Regupta, Tala Jati)
(ଗୌରହରି— ରାଗ ରେଗୁପ୍ତ, ତାଳ ଯତି)

ଆସ ନିକୁଞ୍ଜକୁ ଶ୍ରୀମତୀ
ଆସି ଅର୍ଦ୍ଧ ହୋଇଗଲାନି ରାତି
ଅସିତ ସୁଝୀନ ବାସ ପହରଣ
ତୋଷ ବହି ହାସ ପ୍ରକାଶି ଅତି । ଘୋଷା ।

ଉଦୟ ହେଲେ ନିଶାପତି
ନିଦ ତେଜି ଆରେ ସୁକୁନ୍ଦ ଦନ୍ତୀ
ସଦନକୁ ଛାଡ଼ି ବଦନ ସଜାଡ଼ି
ମାଦକ ବିହି ହୃଦୟେ ଝଟତି । ୧ ।

ସମସ୍ତେ କଲେନି ଶୟନ
ଶ୍ୟାମ ଗଲେଣି ଗୋ ବୃନ୍ଦା ବିପିନ
ପ୍ରେମଭରେ ବଂଶୀ ସୁମଧୁର ଘୋଷି
କାମନା ତୁମ୍ଭ ଠାରେ ରଖିଛନ୍ତି । ୨ ।

କୋକିଳ ମୟୂର ଭ୍ରମର
ଡାକିଉଚ୍ଚେ କରୁଛନ୍ତି ଝଙ୍କାର
କର୍କଶ ଛାଡ଼ି ଅର୍କସୁତା ନୀରସଂ
-ପର୍କ କରି ବହିଲାନି ମାରୁତି । ୩ ।

କୁନ୍ଦ ନାଗେଶ୍ୱର ବାସନ୍ତି
ବୃନ୍ଦ ପୁଷ୍ପିତ ହୋଇ ରହିଛନ୍ତି
ବୃନ୍ଦାବନ ଯାକ ଚନ୍ଦ୍ର କିରଣରେ
ସାନ୍ଦ୍ର ହୋଇ କି ସୁନ୍ଦର ଦିଶନ୍ତି । ୪ ।

ଚାହିଁ ଏ ସକଳ ଶୋଭାକୁ
ରହିଥିବେ ବହି ଅତି ଦୁଃଖକୁ
ଏହିକ୍ଷଣି ଯା ତୁହି ଭେଟ ସହି
କହେ ଗୌରଚନ୍ଦ୍ର ଦେବ ଭାରତୀ । ୫ ।