(ଗୌରହରି— ରାଗ ସିନ୍ଧୁଭୈରବୀ, ତାଳ ଯତି)
କେଡ଼େ ମନ୍ଦପଣ ମୁଁ କଲି ଆରେ ସହି
କହୁ କହୁ ତିଳେ ଯା ନ ଘେନିଲି
କରଗତ ହେବା କୁନ୍ଦନ ରତନ
କାଢ଼ି ଯାହା ଫିଙ୍ଗିଦେଲି । ଘୋଷା ।
ଦୋଷ ହେଲା ବୋଲି ବାସକୁ ପ୍ରସାରି
ଭାଷୁଥିଲେ କେତେ ପରି
ନ ଶୁଣିଲି ଥରେ ମୋ ଶ୍ରୁତିପଥରେ
ରୋଷକୁ ଯାହା ବହିଲି । ୧ ।
କେଜାଣେ ଏମନ୍ତ ତେଜିଯିବେ କାନ୍ତ
କୁଞ୍ଜରୁ ବିମୁଖ ହୋଇ
ରଜନୀ ଜାଗର ମଜ୍ଜାରେ ଥିବାରୁ
ମଜ୍ଜାଇ କହିଲି ନାହିଁ । ୨ ।
କି ହେବ ଉପାୟ କହରେ ମୋ ଜୀବ
ରହିବାର ତେଣେ ଥାଉ
ଯାହା କଲେ ମାନ ତହିଁରୁ ଦ୍ୱିଗୁଣ
ହୋଇ ବଳିଗଲା ଦାଉ । ୩ ।
ହେଲେହେଁ ଦଇନୀ ତିଳେ ତା ନ ଘେନି
କଳହ କରିବା ଫଳ
ଫଳିଲା ତା ଏତେ କାଳକୁ ସନ୍ତତେ
ଭାଳିବାର ହେଲା ମୂଳ । ୪ ।
ଗୌରହରି ବୋଲେ ଗୌରବ ନ ଥିଲେ
ସରସ ହୁଏ କି ପ୍ରୀତି
ସରସୁ ଆଳିକି ଧରି ଛାଡ଼ିଲେକି
କରଇ ଉଦାର ଶାନ୍ତି । ୫ ।