Chala Sighre Nikunja Bhabanaku

ଚଳ ଶୀଘ୍ରେ ନିକୁଞ୍ଜ ଭବନକୁ
(Gourahari— Raga Sena, Tala Adatali)
(ଗୌରହରି— ରାଗ ସେନା, ତାଳ ଆଡ଼ତାଳି)

ଚଳ ଶୀଘ୍ରେ ନିକୁଞ୍ଜ ଭବନକୁ ଗୋ ରାଧେ
ଚାହିଁ ରହିଛନ୍ତି ଶ୍ୟାମ ତୁମ୍ଭ ଆସିବା ଦିନକୁ । ଘୋଷା ।

ମଦନ ମନୋହର ବେଶକୁ ନାଗର
ଧରି ଧୀର ସମୀରେ ପ୍ରବେଶି
ବଂଶୀରେ କିଶୋରୀ ବୋଲି ନାମକୁ ଉଚ୍ଚାରି
ଡାକୁଛନ୍ତି କେତେ ପରଶଂସି । ୧ ।

ଚିତ୍ତ ଅନୁସାରେ ତିମିର କ୍ରମରେ
ଘୋଟିଦେଲାନି ଦିଗ ବିଦିଗକୁ
ଅତିଶୟେ ମୁଖର ହେବା ରତ୍ନ ନୂପୁର
ପରିହରି କରି ଗୋପନକୁ । ୨ ।

ଅଭିସାରେ ଉଚିତ ସମୟ ଏପରି ତ
କହୁଛି ନାହିଁ ନୋହିବ ଆଉ
ପିନ୍ଧି ଅସିତ ବସନ ମୃଗମଗ ଲପନ
ହୋଇ ସୁବେଶ ହେବା ଥାଉ । ୩ ।

ସ୍ଫୁରେ ବାମ ନୟନ ବିଳମ୍ବ ନ କର ଧନ
ସ୍ୱାର୍ଥ ଲଭିବୁଟି ଜାଣ
କହେ ଗୌରହରି କାନ୍ତ କୋଳେ ବିହରି
ମନୋରଥ କରିବୁ ପୂର୍ଣ୍ଣ । ୪ ।