Jachi Katha Kuha Jiba Re

ଯାଚି କଥା କୁହାଯିବରେ
(Gopalakrusna— Raga Nila Kedara, Tala Jati)
(ଗୋପାଳକୃଷ୍ଣ— ରାଗ ନୀଳକେଦାର, ତାଳ ଯତି)

ଯାଚି କଥା କୁହାଯିବରେ ଜାଣିମୁ ଥା । ଘୋଷା ।

ଲଳିତ ତ୍ରିଭଙ୍ଗ ଭଙ୍ଗୀ ନଟବର ସଜ
ବରହ ଉତ୍ତଂଶ ବଂଶୀବସା ମୁଖାମ୍ଭୋଜ
ଯଦି ମନରେ ପଡ଼ିବରେ । ୧ ।

ବିଧୁ ଉଦୟରେ କି କୁମୁଦ ନ ଫୁଟିବ
ଚନ୍ଦ୍ରକାନ୍ତ ମଣିକି ଦରବି ନ ସ୍ରବିବ
ଆସନ୍ତୁ ସେ ଜଣାଯିବରେ । ୨ ।

କ୍ଷଣ ନ ଦେଖିଲେ ଯାହାଙ୍କୁ କୋଡ଼ିଏ ଥର
ଆଳୀଙ୍କି ପଟାଇ ଅଣାଉ ଥାଇ ଖବର
ସେ ଲୋଭ କି ଛାଡ଼ିହେବରେ । ୩ ।

କାଳୀୟ ମଥାରେ କଲା ଦିନ ସେ ନର୍ତ୍ତନ
ଯାହା ହୋଇଗଲୁ କରିଥିଲୁ ଯେ ଗୁମାନ
ଚିନ୍ତା ଚିତ୍ତେ କି ନ ଥିବରେ । ୪ ।

ଅଭିମନ୍ୟୁ ସକୁଟୁମ୍ବ ହୋଇ ମଥୁରାକୁ
ଯିବ ବୋଲି କାଲି କହୁଥିଲା ଜଟିଳାକୁ
ପଡ଼ିଛି ତ ଉପଦ୍ରବରେ । ୫ ।

ଛନ୍ନ ହୋଇ ଶ୍ରୀ ରାଧିକା ଆଳୀଙ୍କି ପଚାରୁ
ସେ କହନ୍ତି ପଠାଇଛି ପୂର୍ଣ୍ଣମାସୀ ଠାରୁ
ଗୋପାଳକୃଷ୍ଣ ଆସିବରେ । ୬ ।