(ବେଣୁଧର— ରାଗ ଚକ୍ରକେଳି, ତାଳ ଯତି)
କାହିଁ ପାଇଁ ସହି ଗୋ
ମୋହନ ଆସିଲେ ନାହିଁ
କି ଦୋଷ ମୋହର ଦେଖି ବଂଶୀଧର
ଏ ନିଶି ରହିଲେ କାହିଁ । ଘୋଷା ।
ବଡ଼ ଅଭାଗିନୀ ସଖୀ ଗୋ ମୁହିଁ
ତାଙ୍କ ସେବା ଯୋଗ୍ୟ ମୋ ଭାଲେ ନାହିଁ
ସେ ବାଙ୍କଚୂଳିଆ ବନ୍ଦୀ ହେଲେ କା ପ୍ରେମେ
ଧନ୍ୟ ସେହି ଯୋଷା ମୋହନସ୍ନେହୀ । ୧ ।
ରସିକ ରତନ ବଦନ ଶଶୀ
ଅଦର୍ଶନେ କେହ୍ନେ ବଞ୍ଚିବି ନିଶି
ଆଗୋ ପ୍ରିୟସଖୀ ମୁଁ ଯେ ନିରିମାଖି
ହୃଦୟ ମୋହର ହେଉଛି ଦହି । ୨ ।
ବୃଥା ହେଲା ସବୁ ଚୂଆ ଚନ୍ଦନ
ବାସ ଫୁଲହାର ବିଡ଼ିଆ ପାନ
ନୟନ ସଙ୍ଖାଳି ମୋର ବନମାଳୀ
କଣ୍ଟ ଦେଇଥିଲେ ମୁରଲୀ ଛୁଇଁ । ୩ ।