Chahan Go Duti

ଚାହାଁ ଗୋ ଦୂତୀ
(Benudhara— Raga Chinta Kamodi, Tala Ekatali)
(ବେଣୁଧର— ରାଗ ଚିନ୍ତାକାମୋଦୀ, ତାଳ ଏକତାଳି)

ଚାହାଁ ଗୋ ଦୂତୀ ଚାହାଁ ଗୋ ଦୂତୀ
କଦମ୍ବ ମୂଳରେ ଶୋଭା ନବଘନ ମୂରତି । ଘୋଷା ।

ଶିରେ ଶିଖଣ୍ଡୀ ଚୂଡ଼ା ମଲ୍ଲୀ ମାଳରେ ବେଢ଼ା
ଯୁବତୀ ଜ୍ଞାନବୁଡ଼ା କୁଳ ମହତଛଡ଼ା
ତ୍ରିଭଙ୍ଗୀ ଛନ୍ଦେ ଛିଡ଼ା ନୁହେଁ ନେତ୍ର ପିଛଡ଼ା
ଦେଖି ତା ରୀତି । ୧ ।

କର୍ଣ୍ଣେ ହେମ କୁଣ୍ଡଳ ଲୁଳଇ ଗଣ୍ଡସ୍ଥଳ
ହୃଦରେ ବନମାଳ ନାସାରେ ମୋତିଫଳ
ଆହା ସେ ନନ୍ଦବାଳ ଦିଶନ୍ତି କି ମଞ୍ଜୁଳ
ନେତ୍ର ସମ୍ପତ୍ତି । ୨ ।

ପୀତାମ୍ବର କାଛେଣି ଦିଶେ କି ଶୋଭା ପୁଣି
କିଙ୍କିଣୀ କିଣିକିଣି ନାଦେ ନିଅଇ କିଣି
ତା ନୂପୁର ବାଜେଣୀ କେଡ଼େ ମଧୁର ଧ୍ୱନି
ହରଇ ଧୃତି । ୩ ।

ଗୋରୋଚନା କସ୍ତୁରୀ ଚିତା ସିନ୍ଦୂର ଶିରୀ
ଚନ୍ଦନପାଟି ହରି ନିଅଇ ଚିତ୍ତ ଶୀରି
ବେଣୁଧର ସେ ହରି ପଦ୍ମପାଦେ ଜୁହାରି
କରେ ବିନତି । ୪ ।