(ବେଣୁଧର— ରାଗ ମଧୁରା ଗୁଜ୍ଜରୀ, ତାଳ ଯତି)
ଅନା ଗୋ ଦୂତୀ ଶ୍ୟାମ ମୂରତି ଥରେ
ଦେଖି କେ ଘାରି ନୋହିବ ମନମଥରେ । ଘୋଷା ।
ଶିରେ ଶିଖଣ୍ଡ ଚୂଡ଼ା ମଲ୍ଲୀ ମାଳରେ ବେଢ଼ା
ଯୁବତୀ ଜ୍ଞାନବୁଡ଼ା କୁଳ ମହତ ଛଡ଼ା
ତ୍ରିଭଙ୍ଗ ଛନ୍ଦେ ଛିଡ଼ା ନୁହେଁ ନେତ୍ର ପିଛୁଡ଼ା
ଦେଖି ତା ରୀତି । ୧ ।
ହେଲେ ପତିବରତୀ ରଖିବ ନିକି ଧୃତି
ମୁରଲୀ ଶୁଣି ଶ୍ରୁତି ତାରେ ଇଚ୍ଛିବ ରତି
ଶ୍ୟାମବନ୍ଧୁ ପୀରତି ବିନାରେ କି ବରତି
ପାରିବ ଥରେ । ୨ ।
କେଳି ପାଦପ ନୀପମୂଳେ ଶ୍ୟାମଳ ରୂପ
ଦର୍ଶନେ ସତୀ ଦର୍ପ ଭାଙ୍ଗିଯିବ କନ୍ଦର୍ପ
ବାଣରେ ନିଶ୍ଚେ ଅପଘନ କରିବ ଅର୍ପଣ
ସେ ସ୍ୱାର୍ଥରେ । ୩ ।
ତ୍ରିଭଙ୍ଗ ଉଭା ଶୋଭା ଦେଖି କେ ଅବା ଲୋଭା
ନୋହିବ ତା ପ୍ରତିଭା ରଖିଦେବକି ଯୁବା
କୁଳବତୀ ବଲ୍ଲଭା ଆନ କରିବ ଜବା
-ଧରୀ ବ୍ରତରେ । ୪ ।
ଚିନ୍ତି ସେ ବେଣୁଧର ପୟର ବେଣୁଧର
କବି ରଜନୀକର କହେ ସଜନୀ କର
ଧରି କିଶୋରୀ ସାର ମଣି ଚିନ୍ତାମଣିର
ପ୍ରେମ ରତରେ । ୫ ।