(ବେଣୁଧର— ରାଗ ମଧୁରା ଗୁଜ୍ଜରୀ, ତାଳ ଏକତାଳି)
ସେ ଶ୍ୟାମ ଛବି ଛଟକ
ଦେଖି କେବା ନ ହାରିବ ବୁଦ୍ଧି ବିବେକ । ଘୋଷା ।
ତା ମଧୁର ବଂଶୀସ୍ୱନ ମତି କରେ ଉଚ୍ଛନ୍ନ
କୁଳବତୀ ଗୁମାନ ଛାର କେତେ ଏ ମାନ
ସେ ଅଭିନବ ଘନ ଜିତ ଅଙ୍ଗଲାବଣ୍ୟ
ପ୍ରେମ ମାଦକ । ୧ ।
ତା ନେତ୍ର ଭଙ୍ଗୀ କଟାରି ଭ୍ରୂଲତା ବାଙ୍କଛୁରୀ
ଦେଲା ବେଳରେ ମାରି ମରମେ ଦିଏ ଘାରି
ସେ ଦାଉ ସହି କରି ଅଛି କେଉଁ ନାଗରୀ
ନ ଲଭି ଦକ । ୨ ।
ତା ମନ୍ଦ ମନ୍ଦ ହାସ ମଦନ ଚନ୍ଦ୍ରହାସ
ମୁରଲୀର ଆଭାସ କରଇ ଧୃତି ନାଶ
ଚାହାଁ ଚାହାଁ ଗୋ ରାସରଙ୍ଗିନୀ ସେହି ବାସ
ଚୋରା ଛଟକ । ୩ ।
ଲଳିତା କର ଧରି ଭାଷନ୍ତି ଶ୍ରୀକିଶୋରୀ
ସେହି ରୂପ ମାଧୁରୀ ମୋ ନେତ୍ରେ ଅଛି ପୂରି
ବେଣୁଧର ବିଚାରି ହେବକି ସେବାକାରୀ
ତାଙ୍କ ନଜିକ । ୪ ।