(ବେଣୁଧର— ରାଗ ରାଜହଂସୀ ଚୋଖି, ତାଳ ଯତି)
ଶ୍ୟାମ ପ୍ରୀତି ଘରବୁଡ଼ା ରେ ସଙ୍ଗାତ
ଶ୍ୟାମ ପ୍ରୀତି ଘରବୁଡ଼ା
ନୀପମୂଳେ ରହି ମୁରଲୀ ବଜାଏ
ଜାତି କୁଳ ଗୋତ୍ର ଛଡ଼ାରେ । ଘୋଷା ।
ତା ଯେଉଁ ଚାହାଣୀ ପୁଣି ଠିଆ ଠାଣି
ଯୁବତୀ ଜ୍ଞାନ ଘଉଡ଼ା ରେ
ପତିବ୍ରତା ହେଲେ କେ ନ ଭୁଲିବ କି
ଦେଖି ତା ଛବି ମଉଡ଼ା ରେ । ୧ ।
ମଲ୍ଲୀମାଳ ବେଢ଼ା ସେବତୀ ପାଖୁଡ଼ା
କେତକୀ ଦଳେ ସଜଡ଼ା ରେ
ଶିଖୀପୁଚ୍ଛ ଗୁଚ୍ଛ ଜ୍ଞାନ କରେ ତୁଚ୍ଛ
ସେ ଯେଉଁ ଚନ୍ଦ୍ରିକା ଚୂଡ଼ା ରେ । ୨ ।
ପ୍ରୀତିପଙ୍କେ ଲାଖି ଯିବୁ ଚନ୍ଦ୍ରମୁଖୀ
ପଦ ତେଣିକି ନ ବଢ଼ାରେ
ଅପବାଦ ଜଳେ ଭସାଇ ଦେବାକୁ
ତା ନେତ୍ର ପ୍ରେମ ଲହଡ଼ା ରେ । ୩ ।
ନେବ ହୁରୂମତ ସାରିବ ମହତ
ଚାଲ ଚାଲ ନୁହଁ ଛିଡ଼ାରେ
ବୋଲେ ବେଣୁଧର ସେ ଶ୍ୟାମ ନାଗର
ଅଟନ୍ତି କେଡ଼େ ଲେଭଡ଼ାରେ । ୪ ।