(ଭକ୍ତଚରଣ)
(Brutta Kalyana Ahari, Tala Khemata)
(ବୃତ୍ତ କଲ୍ୟାଣ ଆହାରୀ, ତାଳ ଖେମଟା)
Chhanda 9 — Mathura Mangala
ନବମ ଛାନ୍ଦ — ମଥୁରା ମଙ୍ଗଳ
କୃଷ୍ଣର ଗମନ ଦେଖି ଛନଛନ ହୋଇ ସକଳ ଗୋପାଙ୍ଗନା
ଗୁରୁ ଗଉରବ ବାରି ନ ପାରନ୍ତି ଆରତେ ସଫରୀନୟନା
ଡାକନ୍ତି, ଆହେ ବାରିଧରବରନା
ବିନା ଦୋଷେ ରୋଷେ ନାଶ କରିଯାଅ ନୋହୁ ଗୋପୀକୁଳ ପୂତନା ।୧।
ଦଶରଥ ସୁତ ପ୍ରାଏ ନନ୍ଦସୁତ କରୁଛ ତ ଆଣି ବିଚାର
ସେ ଛାଡ଼ିଥିଲେ ସିନା ଏକ ନାୟିକା, ତୁମ୍ଭେ ତ ଛାଡ଼ୁଛ ଅପାର
କୃଷ୍ଣ ହେ, ସେ ବଧିଲେ ଏକ ବାଳୀକି
ତୁମ୍ଭେ ଯେତେ ବାଳୀ ମାରି ଯାଉଅଛ ମନେ ହେଜି ପାରୁ ନାହଁ କି ।୨।
ତୁମ୍ଭେ କୃଷ୍ଣଚନ୍ଦ୍ର ସେ ଶ୍ରୀରାମଚନ୍ଦ୍ର ଏଣୁ ମିତ୍ରଗୁଣ ବହୁଛ
ସେ ତାତ ମାତ ଛାଡ଼ି ବନେ ପଶିଲେ, ତୁମ୍ଭେ ଏବେ ତେଜି ଯାଉଛ
କୃଷ୍ଣ ହେ, ସେ ନେଇଥିଲେ ସହୋଦର
ତୁମ୍ଭେ ସେହିରୂପେ ଭ୍ରାତଙ୍କୁ ନେଉଛ ଦୁହେଁ ହେଲ ଏକ ପ୍ରକାର ।୩।
ତାଙ୍କୁ ସୁମନ୍ତ୍ର ରହୁବରେ ବସାଇ ଘେନିଗଲା ଘୋର ବନକୁ
ତୁମ୍ଭଙ୍କୁ ଅକ୍ରୂର ସେହି ପରକାରେ ନେଉଅଛି ମଧୁବନକୁ
କୃଷ୍ଣ ହେ, ସେ ସଙ୍ଗେ ନେଇଥିଲେ ନାରୀ
ଏହି ଗୁଣେ ତୁମ୍ଭେ ଉଣା ପଡ଼ୁଅଛ ଆଉ ସକଳ ଗୁଣେ ସରି ।୪।