(କବିସୂର୍ଯ୍ୟ— ରାଗ ପରଜ, ତାଳ ଯତି)
ରୁଷି ମୁଁ ବସିଲି ଗେଲେ ରେ ସଙ୍ଗାତ
ମନ ମନସିଜ ଚକ୍ଷୁ ମୁଖ ଭୁଜ ଏମାନେ ମୋ ଶତ୍ରୁ ହେଲେ । ଘୋଷା ।
ଦେଲି ଯେ ଗୁମାନ ଲାଞ୍ଚ ତୁ ଚଞ୍ଚଳ ନୁହ ମନ ବୋଲି କହି
କେଭେ ନ ଛୁଇଁଲା ସେ ବ୍ରଜଛଇଳା ଶୋଭା ସମ୍ପତ୍ତିରେ ରହି । ୧ ।
ରଖ ଧୃତି ମୋର ବୋଇଲି ଯେ ଛାର ମାରକୁ ପାଣି ପ୍ରସାରି
ବିନ୍ଧି କୋଟି କୋଟି ବାଣ ହଟି ହଟି ଦେଲା ମୋ ଆବୁର ସାରି । ୨ ।
ତଳ କଲି ମଥା ଜାଣି ଚପଳତା ସମ୍ପନ୍ନ ବୋଲି ଡୋଳା
ନ ପଡ଼ି ଧରାରେ ମୁରଲୀଧରାରେ ରସି ରସି କଲା ଖେଳା । ୩ ।
ଏ ପାପ ଲପନ ଦିଶୁଥାଇ ଆନ ବେଳେ ସାଭିମାନ ପରି
ଜାଣି ସେହି କାଳ ରହିଲା କେବଳ ହାସ ଉଲ୍ଲାସରେ ପୂରି । ୪ ।
ଭିଡ଼ି ଯେ ରଖିଲି ତେବେ ଭୁଜବଲ୍ଲୀ ତାହାରି ଆଶ୍ଳେଷେ ଶଙ୍କି
ଟେକି ହୋଇଗଲା କାଳେ ନ ରହିଲା ସ୍ତନମୂଳ ଚେଳ ବାକି । ୫ ।
କହେ ଶ୍ରୀ ବାଲୁଙ୍କେଶ୍ୱର ଜଗଦ୍ଦେବ ବୁଜିଲି ନୟନ ପୁଣି
ଜାଣେ କି ମନ୍ତର ହେଲା ମୋ ଅନ୍ତରଗତ ସେହି ନୀଳମଣି । ୬ ।