Sajani Mun Hudili

ସଖୀ ମୁଁ ହୁଡ଼ିଲି
(Dinabandhuraja)
(ଦୀନବନ୍ଧୁରାଜ)

ସଖୀ ମୁଁ ହୁଡ଼ିଲି ରେ
ନନ୍ଦସୁତ ସଙ୍ଗେ ପ୍ରୀତି କରିବାକୁ
ତୋ ବୋଲେ ଯାହା ପଡ଼ିଲି । ଘୋଷା ।

ଲାଭ ହେଲା ଏହି ନିରତେ ନୟନୁ
ଲୋତକ ଧାରା ଢାଳିଲି
ଯେତେ ଥିଲା କୁଳବତୀ ଲଜ୍ଜା ଧନ
ପେଡ଼ି ଦାଣ୍ଡରେ ଫେଡ଼ିଲି । ୧ ।

ସାହି ପଡ଼ିଶା ଇଙ୍ଗିତ ଶୁଣି ଦାଣ୍ଡ
ଦେହଳୀକି ନ ମାଡ଼ିଲି
ତହିଁରେ ଶାଶୁ ନଣନ୍ଦ ଗିର ବିଷ
ଘାତକୁ ଶିର ଆଡ଼ିଲି । ୨ ।

ଶ୍ୟାମ ସଙ୍ଗ ବିନା ଦେହ ଲତିକାରୁ
ପ୍ରାଣ ଫଳକୁ ଏଡ଼ିଲି
ରଜନୀ ଦିବସ ଉତ୍ସୁକ ମନରେ
ଏହି ରସରେ ଜଡ଼ିଲି । ୩ ।

ପର ପୀରତି କିଛି ନୋହେ ସଜନୀ
ଏବେ ମୁଁ ସିନା ବିଡ଼ିଲି
ସ୍ମର ପିଶାଚ ବଳୀ ପାଇଁ ତା ଶରା
-ନଳେ ତନୁକୁ ପୋଡ଼ିଲି । ୪ ।

କି କରିବି କାହିଁ ଯିବି ଏହି ଚିନ୍ତା
ଫଳରେ ନିତ୍ୟେ ସଡ଼ିଲି
ବୋଲେ ଦୀନବନ୍ଧୁ ଆପଣା ଇଚ୍ଛାଏଁ
ଗରଳ ଖାଇ ଲୋଡ଼ିଲି । ୫ ।