Ja Ja Tu Chhuan Na

ମୋହନ ଯା ଯା ତୁ ଛୁଅଁନା
(Gopalakrusna— Raga Sri, Tala Aditala)
(ଗୋପାଳକୃଷ୍ଣ— ରାଗ ଶ୍ରୀ, ତାଳ ଆଦିତାଳ)

ମୋହନ ଯା ଯା ତୁ ଛୁଅଁନା । ଘୋଷା ।
ବାରଣପରି ନ ଘେନ ବାରଣ ବାଳକ ପରି ହୋନା
ବାର ଆଜ ଶ୍ରୀ ମିତ୍ର ମୁଁ ପୂଜିବି ଅପକୀରତି ବହନା । ୧ ।
ବାଟ ନିକଟ ନଟବର ନିପଟ ପାଟକ ଗୋପଜାତି
ହାଟ ଘାଟରେ ପଶୁପି ଲମ୍ପଟ ପାପ ହେବ ଏବେ ଖ୍ୟାତି । ୨ ।
ଅନ୍ତର ହୁଅ ଧ୍ୱାନ୍ତ ସହଚର କାନ୍ତ ଆସିବେଟି ମୋର
ସ୍ୱାନ୍ତରେ ରଖି ହନ୍ତକ କଂସକୁ କହି ସାରିବେ ସଂସାର । ୩ ।
ଆଳି ଅଇଲେ ଗାଳି ଦେଇ କରତାଳି ମାରିବେଟି ଚାଳି
ଶାଳୀ ଟାପରା ସେ ଚନ୍ଦ୍ରାବଳୀକି କରିବୁ ଯା ବନମାଳୀ । ୪ ।
ପାଣି କୋରକୀକୃତ କରି ସେ ହରିସେବକୀ ବୋଲୁ ମୁହିଁ
ଜାଣି ସେବ ବୋଲି ସେ ବନାନ୍ତରେ ଗୋପାଳକୃଷ୍ଣ କହଇ । ୫ ।