(ବେଣୁଧର— ରାଗ ମଧୁଶ୍ରୀ, ତାଳ ଝୁଲା)
ନନ୍ଦସୁତଙ୍କୁ କି ଅଛି ଉପମା ଦେବାକୁ । ଘୋଷା ।
ସଂସାର ସାର ଶିରୀ ଯା ଅଙ୍ଗେ ଅଛି ପୂରି
ନିନ୍ଦୁଛି କୋଟି ମଦନକୁ । ୧ ।
ଭଲା ତା ଠିଆ ଠାଣି ପାଷାଣ କରେ ପାଣି
ଦେଖି କେ ରହିବ ଦମ୍ଭକୁ । ୨ ।
ମଲ୍ଲୀ ସେବତୀ ବେଢ଼ା ଶିଖୀଚନ୍ଦ୍ରିକା ଚୂଡ଼ା
ନାଶୁଛି ସତୀ ବରତକୁ । ୩ ।
ମୁରଲୀ ଧରି କରେ ଦେଇ ବିମ୍ବ ଅଧରେ
ମୋହୁଛି ତିନି ଭୁବନକୁ । ୪ ।
ଚାରୁ ଚନ୍ଦନ ପାଟି ଆହା କି ପରିପାଟୀ
ଚାହାଁ ତା ଭ୍ରୂଲତା ନାଟକୁ । ୫ ।
ସ୍ମିତ ମଧୁର ହାସ ତହିଁ ନେତ୍ର ବିଳାସ
ଶିଖାଏ ପୀରତି ପାଠକୁ । ୬ ।
କହଇ ବେଣୁଧର ଚିତ୍ତ ସମ୍ପତ୍ତି ଚୋର
ରଖିବ କାହା ଗୁମାନକୁ । ୭ ।