Sajani Ki Kali Mane Ja Basili

ସଜନୀ କି କଲି, ମାନେ ଯା ବସିଲି
(Kabichandra Kali Charan— Raga Sindhuda, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ସିନ୍ଧୁଡ଼ା, ତାଳ ଏକତାଳି)

ସଜନୀ କି କଲି
ମାନେ ଯା ବସିଲି (ମୁଁ) ।ପଦ।
ମଉଳିଲା କଞ୍ଜ ସରି, ସରି ତ ଯାଉଛି ଶିରୀ
ମୋହନରେ ନାହିଁ ତ ନିତି ଭଙ୍ଗି ମୋହନ ଝଳି ।୧।
ନାରୀମରା ସେ ମୁରଲୀ, ହାରିଗଲା ପରା ଗୋରୀ
ନାହିଁ ଶିଖୀଗଞ୍ଜନ, ବାଙ୍କ ଚୂଳ ବାମକୁ ଢଳି ।୨।
ଅରଜିଲୁ ଅପଯଶ, ବରଜି ମୋହନ ଆଶ
ଭାଷେ କବିଚନ୍ଦ୍ର ତୋ ମାନ ସୀମା ଗଲା ତ ବଳି ।୩।