Rakha Rakha Rasika Re Ghana Kuntala

ରଖ ରଖ ରସିକା ରେ ଘନକୁନ୍ତଳା
(Biswambhara Rajendra DebaKhemata)
(ବିଶ୍ୱମ୍ଭର ରାଜେନ୍ଦ୍ର ଦେବଖେମଟା)

( ରାଧାପ୍ରେମ ଲୀଳା )
ରଖ ରଖ ରସିକା ରେ ଘନକୁନ୍ତଳା
ତୋ କରକୁ କଳାକାଚ ମାନିବ ପରା । ଘୋଷା ।
ଏ ଅଙ୍ଗକୁ ସଙ୍ଗିନୀ କୁଶପାଣି ବିନ୍ଧାଣୀ
ଅଜାଡ଼ି ସୁରସ କେତେ ସଜାଡ଼ିଥିଲା ।୧।
ହେଉ କର ମୋ ଧନ ସଉତୁଣୀମର୍ଦ୍ଦନ
କଉତୁକେ ପିନ୍ଧାଇବି ହେଲେ କି ହେଲା ।୨।
ମିତ ମନେ ନ ପାଞ୍ଚ ଲୀଳାବତୀ ଏ କାଚ
ଚିତ୍ତକୁ ପାଇଲା ପରି ମୂଲା ଗୋ ମୂଲା ।୩।
ରେ ଲଳନାକୁସୁମ ଦେଖ ଏହା ସୁଷମ
ଚନ୍ଦ୍ରାବଳୀ କେତେ ରୂପେ ମତେ ମାଗିଲା ।୪।
ପଚାରୁଛି ସହୀକି ଏହୁ ଚନ୍ଦ୍ରମୁହୀଁକି
ଏ ସରିକି ସତେ କେତେ ବୟସ ହେଲା ।୫।
ଏ ବଚନେ ଶ୍ରୀମତୀ କହିଲେ ଏ ଭାରତୀ
ଶ୍ରୀ କିଶୋରଚନ୍ଦ୍ର ସେ ବିଭୁଙ୍କୁ ବନ୍ଦିଲା ।୬।