Jaya Sri Sarada Go

ଜୟ ଶ୍ରୀ ଶାରଦା ଗୋ
(Biswambhara Rajendra Deba)
(ବିଶ୍ୱମ୍ଭର ରାଜେନ୍ଦ୍ର ଦେବ)

( ରାଧାପ୍ରେମ ଲୀଳା )
ଜୟ ଶ୍ରୀ ଶାରଦା ଗୋ ସଜକଞ୍ଜଲୋଚନା
କୁନ୍ଦରଦନା ବିଧୁବଦନା ଗୋ ।ଘୋଷା।
ଦିବ୍ୟ ଗାନକୁଶଳା କୁନ୍ଦଇନ୍ଦୁଧବଳା
ଦୀନଜନବତ୍ସଳା ଅମରୀ ଶିରମାଳା ।୧।
ମଣିହାର ମଣ୍ଡିତ କୁଚକୁମ୍ଭମଣ୍ଡଳା
ଦଳିତାଞ୍ଜନରେଖା ମଞ୍ଜୁନେତ୍ରଯୁଗଳା ।୨।
ମାଣିକ୍ୟ ବୀଣା ଗୁଣାଙ୍ଗୁଳି ଚାଳନ କଳା
କଉତୁକିନୀ ହରିମନମୋହିନୀ ବାଳା ।୩।
ତବ କରୁଣା ଲେଶ ସମ୍ପାଦି ଆଦି ଶେଷ
ରଚି ମହତ ଭାଷ ଭବେ ରଖିଲେ ଯଶ ।୪।
ଧନ୍ୟ ସେ ବୃହସ୍ପତି ବିରଚି ନାନା ସ୍ତୁତି
ଅରଜି ଗୁରୁ ଖ୍ୟାତି ସରଜିଲେ କୀରତି ।୫।
ପଡ଼ି ସେ ପଦ ତଳେ କିଶୋରଚନ୍ଦ୍ର ବୋଲେ
ସଦୟ ନେତ୍ରାଞ୍ଚଳେ ଅନାଇଁ ଦିଅ ବେଳେ ।୬।