(ଅଚ୍ୟୁତାନନ୍ଦ— ରାଗ ବିଚିତ୍ର କାମୋଦୀ, ତାଳ ଆଡ଼ତାଳି)
ଏହି ମନ ସିନା ଚତୁର୍ଦ୍ଧା ମୂରତି ରେ ମୂଢ଼ମତି । ଘୋଷା ।
ମନ କହେ ଚଇତନ ହେତୁରେ ଦେଖ ତୁ ବ୍ରହ୍ମ
ୟେ ତତ୍ତ୍ୱ ଚାରିବେଦେଣ ଦଣ୍ଡିବ ନାହିଂ ଶମନ
ସନକାଦି ମୁନି ଧ୍ୟାଉଛନ୍ତି ରେ ମୂଢ଼ମତି । ୧ ।
ନ ଖୋଳ ତଡ଼ାଗ କୂପ ଦେଉଳ ତୋଟା ନ ଗେପ
ଥାପନା ଦିଅଁ ନ ଥାପ ନ ଯା ବୃନ୍ଦାବନ ଗୋପ
ନ ଯା ତୁହି ପ୍ରୟାଗ ଗୋମତୀ ରେ ମୂଢ଼ମତି ।୨।
ୟେ ଗ୍ୟାଂନ ହୃଦେ ନ ଧର ତିଳକ ମାଳା ନ କର
ଜଟା କୌପୁନି ନ ଧର ଭସ୍ମ ଅଙ୍ଗୁ ପରିହର
ଗଙ୍ଗାକୂଳେ ନାହିଁ ସଦଗତି ରେ ମୂଢ଼ମତି । ୩ ।
ଆତ୍ମାରେ ଆତ୍ମାକୁ ଦେଖ ଦେଖିଲେ ପାଇବୁ ସୁଖ
ତୋର ଦେହେ ତୁହି ଦେଖ ଦିଶୁଅଛି ଜକଜକ
ଭାବି କହେ ପାମର ଅଚ୍ୟୁତି ରେ ମୂଢ଼ମତି । ୪ ।