(ଗୋବିନ୍ଦ ରାୟଗୁରୁ— ରାଗ ଆରଭୀ, ତାଳ ଏକତାଳି)
କାହିଁକି ଏଡ଼େ ଗୁମାନ, ନାରୀରତନ
ନାହିଁ ଶ୍ରୀମୁଖ ପ୍ରସନ୍ନ
କାମ ପାମରକୁ ବାମ ନୋହିଲେ ତୁ ମୋ
ଧାମ କେ ହେବ ତାମରସ ନୟନୀ ଘେନ । ଘୋଷା ।
କାର ଗୀରକୁ ତୁ ଶୁଣି, କରଜେ ପୁଣି
ଗାର ସରଜୁ ଧରଣୀ
ଧରି କହୁଛି ପାଣି କି ଦୋଷ ମୋର ଜାଣି
ଆରେ ରମଣୀମଣି ନେତ୍ରୁଁ ବୁହାଉ ପାଣି
(ପଡ଼ି)
ମାର ମାରଗଣ ବାର ମୋ ତନୁରେ
ମାରେ ଧରି ରାଗ ସାରେ ପ୍ରାଣକୁରେ
ଆରେ ଧନ ତୁ ଅନାରେ କିଞ୍ଚିତରେ
ତାର ଦୁଃଖରୁ ସୁସାରେ ପ୍ରାଣକୁରେ ।୧।
ଆରେ ବିପଞ୍ଚୀବଚନା, ଚିତ୍ତେ କିଞ୍ଚିତେ
କରୁ ତୁ ରୋଷ ସଞ୍ଚନା
ମଞ୍ଚରେ ମୋ ବେଦନା ଘୁଞ୍ଚାଇବାକୁ ସିନା
ପାଞ୍ଚି ବିରଞ୍ଚି ତୋତେ କରିଅଛି ରଚନା
(ପଡ଼ି)
ବଞ୍ଚନା କଲେ ନାରୀ ବଞ୍ଚିବି ମୁଁ କିପରି
ପଞ୍ଚବିଶିଖ ପରପଞ୍ଚ ଦେଲାଣି ସାରି
ଅଞ୍ଚଳକୁ ଧରି ମାଗୁଅଛି ଗୋରୀ
ବଞ୍ଚାଅରେ କାଞ୍ଚନାଙ୍ଗୀ ତୁ ବିଚାରି ।୩।
ବିରସ ହୋଇ ନ ବସ, ଆରେ ସରସ
-ବତୀ ମୁଁ ପରା ତୋ ଦାସ
ହାସ ପରକାଶ ରଦବାସରେ ପଦେ ଭାଷ
ଦାସବତ୍ସଳା ନ କର ତୁ ହୃଦ ନିରାଶ
(ପଡ଼ି)
ଆସ ପାଶକୁ ସହି ତୋଷ ମନରେ ବହି
ବାସବ ସମ୍ପଦକୁ ପାଦତଳେ ରଖାଇ
ଦୋଷକୁ ନ ଧର ଲେଶ ନାରୀବର
ନାଶ କର ମୋର ତ୍ରାସ ବିରହର ।୪।
ପଙ୍କଜନେତ୍ରା ମୋ ଦୁଃଖ, ଦେଖି ବିରସ
ତେଜିରେ ଆଜ ତୁ ରଖ
ଶଙ୍କରପର ପରତାପକୁ ହର ମୋର
ରଙ୍କରତନ ତୁ ନିଃଶଙ୍କେ ଅଙ୍କେ ବିହର
(ପଡ଼ି)
ହରି ବିନୟ ବାଣୀ ଶ୍ରୀ ବ୍ରଜ ଠାକୁରାଣୀ
ମାନ ତେଜି ମନରୁ ଭାଷିଲେ ପ୍ରିୟ ବାଣୀ
ଏ ରସେ ଧରାକୋଟ ଧରା ମୁକୁଟମଣି
ଶ୍ରୀ ମଦନମୋହନ କେଶରୀ ଦେବ ଭଣି ।୫।