Loke Ninda Hele Heba

(Narayana Maharatha— Raga Ahari, Tala Jati)
(ନାରାୟଣ ମହାରଥା— ରାଗ ଆହାରୀ, ତାଳ ଯତି)

ଲୋକେ ନିନ୍ଦା ହେଲେ ହେବ ଗୋ
ସେ ଶ୍ୟାମସୁନ୍ଦର ମଧୁର ମୂରତି କେ ମୋତେ ଭେଟାଇଦେବ । ଘୋଷା ।
ଯମୁନାକୁ ନୀର ପାଇଁ ଯିବା ବେଳେ ନୀପମୂଳକୁ ଚାହିଁଲି
ନବ ନୀରଦକୁ ଜିଣି କଳେବର ନନ୍ଦନନ୍ଦନ ଦେଖିଲି ।୧।
ତ୍ରିଭଙ୍ଗିମା ଉଭା ହେଲା ଭଙ୍ଗୀ ଶୋଭା ବଚନେ ନ ପାରେ କହି
ଶିରେ କେକୀପୁଚ୍ଛ ଅଧରେ ମୁରଲୀ ମୃଦୁ ମୃଦୁରେ ବଜାଇ ।୨।
ସେ ରୂପ ଦେଖିବା ବେଳରୁ ମଦନ ଜ୍ୱାଳାରେ ସଦନ ବିଷ
ଆହାର ନ ରୁଚେ ନିଦ୍ରା ନ ଆସଇ ଅନ୍ଧାର ମୋତେ ଦିବସ ।୩।
ବିରୁଳି ନୃପତି ଶ୍ରୀ ନାରାୟଣ ଶୂର ମହାରଥା ମର୍ଦ୍ଦରାଜ
ଭ୍ରମରବର ରାୟେ
ବୋଲେ ଆଜ ମୁଁ ଭେଟାଇବି ବ୍ରଜରାଜ ।୪।