(ଶ୍ୟାମବନ୍ଧୁ ପଟ୍ଟନାୟକ— ରାଗ ଲଳିତ କାମୋଦୀ)
ମନ ବଳିଗଲା ତହୁଁ ଆସୁ ନାହିଁ
ଲୌହ ଚୁମ୍ବକ ପାଷାଣ ପରା ହୋଇ ।ପଦ।
ଲଳିତା ବିଶାଖା ସଖୀ ବେନିଙ୍କର
ଏହି ବାଣୀ ଶୁଣି ଧନୀ
କାତର ହରଷେ ତରତରେ ଭାଷେ
ନାଶ କଲେ ମୋତେ ଜଣ ତିନି ।୧।
କୃଷ୍ଣ ବୋଲି ଯେଉଁ ଦ୍ୱିଅକ୍ଷର
ଅତ୍ୟନ୍ତ ମଧୁର ମନୋହର
ଲଳିତା ବଦନୁଁ ଶ୍ରୀ ବୃନ୍ଦା କାନନୁଁ
ପହିଲେ ଶୁଣିଲି ନାମ କାର ।୨।
ଅତ୍ୟନ୍ତ ମୃଦୁ ମଧୁର ସ୍ୱର
ଦ୍ୱିତୀୟେ ଶୁଣିଲି ବଂଶୀ କାର
ତହୁଁ ପରମାଦ ଚିତ୍ତେ ଉନମାଦ
ଆନ ନ ରୁଚଇ କର୍ଣ୍ଣଦ୍ୱାର ।୩।
ଏ ଚିତ୍ରପଟରେ ନବମୂର୍ତ୍ତି
ନବଘନ ଜିଣି ତନୁଦ୍ୟୁତି
ସୁନ୍ଦରପଣରେ କୋଟି ମଦନରେ
ନ ଥିବ ଯାହାର ନଖକାନ୍ତି ।୪।
ଅଲକ୍ଷ୍ୟ ଶ୍ରୀମୁଖ ଦେଖି ଯାର
ହୃଦ ହୋଇଯାଏ ରସପୂର
ବିନା ପ୍ରୟୋଜନେ ଉତ୍ସାହ ସଘନେ
ବଢ଼ି ଉଚ୍ଛୁଳଇ ବାରବାର ।୫।
ଏ ତିନି ପୁରୁଷେ ରତି ପ୍ରୀତି
ହେବାଠାରୁ ମୃତ୍ୟୁ ଶ୍ରେୟ ଅତି
ନିର୍ଲ୍ଲଜ ଜୀବନ ଶମନଭବନ
ନ ଯାଇ ଯାହା ରହିଛି ଏଥି ।୬।
ଛଡ଼ାଇଲେ ଛାଡ଼ ନ ଗଲା ତ
ନ ଛାଡ଼ିଲେ ପରାଣ ଗଲା ତ
ଶ୍ୟାମବନ୍ଧୁ କହି ରାୟୀ ଭାଷେ ଅହି
ଚୁଚୁନ୍ଦ୍ରା ଧରିଣ ହେବା ମତି ।୭।