(ବିଶ୍ୱନାଥ ଖୁଣ୍ଟିଆ)
ଶ୍ରୀ ଜମ୍ବେଶ୍ୱର ମହାଦେବଙ୍କ ଦୋହଲ ଗୀତ
ଏଥୁ ଅନନ୍ତରେ ରାମବିଭାର ଚରିତ ।
ଶ୍ରବଣେ ଶୁଣନ୍ତେ ନରେ ହୋଇବେ ପବିତ୍ର ।
ମିଥିଳା କଟକରେ ଉତ୍ସବ କରାଇଲେ ।
ହେମ କଳଶରେ ନେତ ଚିରାଳ ବାନ୍ଧିଲେ ।
ଗାଇଲେ ମଙ୍ଗଳ ଗୀତ ଦେଲେ ହୁଳହୁଳି ।
ବିବିଧ ବାଦ୍ୟ ନାଦରେ ସିନ୍ଧୁ କି ଉଚ୍ଛୁଳି ।
ନିଶି ଅବଶେଷେ ରୁଣ୍ଡ ହୋଇ ସର୍ବ ବାଳୀ ।
ହେମକୁମ୍ଭେ ଚନ୍ଦନ କର୍ପୂର ଜଳେ ଗୋଳି ।
ଶ୍ରୀରାମ ସୀତାଙ୍କ ଶିରେ ଢାଳିଲେ ତା ତୋଳି ।
ପୁଣି ସୁବାସ ଜଳରେ ଶ୍ରୀଅଙ୍ଗ ପଖାଳି ।
ସର୍ବାଙ୍ଗ / ଶ୍ରୀଅଙ୍ଗ ପୋଛି କୁସୁମେ ତ୍ରିମୁଣ୍ଡି ବାନ୍ଧିଲେ ।
ବସନ ପୀତପଟରେ କାଛି ପିନ୍ଧାଇଲେ ।
ମଣିମୟ ତଡ଼ାଉ ଶ୍ରୀଅଙ୍ଗେ ଲାଗି କରି ।
ଭାଲପଟେ ସିନ୍ଦୂର ତିଳକ ଦେଲେ ନାରୀ ।
ହେମ ବେଦିକା ଉପରେ ରତ୍ନର ମଣ୍ଡପ ।
ଶୋଭା ଦିଶଇ ଚାମର ଚାରୁ ଚନ୍ଦ୍ରାତପ ।
ସେ ବେଦିକା ଉପରେ ଶ୍ରୀରାମ ଆସି ବସି ।
ମହାବାକ୍ୟରେ ସଂକଳ୍ପ କରାଇଲେ ଋଷି ।
*ଲେଉଟି ପୁଣି ଶ୍ରୀରାମ ହୋଇଲେ ପ୍ରବେଶ ।
ପୁଣି ବେଦିକାକୁ ବିଜେ ହୋଇଲେ ସୁବେଶ ।
ଦଶରଥ ଗଉତମ / ଗୌତମ ଯେ ଆବର ଜନକ ।
ବଶିଷ୍ଠ ଜାବାଳୀ ବାମଦେବାଦି ଯେତେକ ।
ଏମାନେ କରାନ୍ତି ବିଭା ବେଦ ମନ୍ତ୍ର ପଢ଼ି ।
କନ୍ୟାକୁ ଆଣିଲେ ସର୍ବ ପରିଚାରୀ ବେଢ଼ି ।
*ଜନକ ରାଜା କୋଳରେ ବିଜୟେ ସୁନ୍ଦରୀ ।
ଶ୍ରୀରାମଙ୍କୁ ଦଶରଥ କୋଳେ ଛନ୍ତି ଧରି ।
କୋଦଣ୍ଡଧର କରରେ ଦେଲେ କନ୍ୟା କର ।
କୁଶରଜ୍ଜୁରେ ବନ୍ଧନ କଲେ ମୁନିବର ।
କୁମାରୀ ଗୋଟିଏ ସେ ବନ୍ଧନ ଫେଡ଼ିଦେଲେ ।
ସେହି ଦିନୁଁ ମୈଥିଳୀ ଶ୍ରୀରାମଙ୍କର ହେଲେ ।
ଜନକ ଅନେକ ଦେଲେ ରତ୍ନ ଆଭରଣ ।
ରଥ ଗଜ ଅଶ୍ୱ ଆଦି ଦିବ୍ୟ ନାରୀଗଣ ।
ଲଜ୍ଜା ହୋମ ସାରି ରାମ ଭିତରେ ବିଜୟେ ।
ଏହି ରୂପେ ଚାରି ଭାଇଙ୍କର ବିଭା ହୋଏ ।
ପଞ୍ଚୁଗ୍ରାସୀ ମଣୋହି ସାରି ବିଡ଼ିଆଲାଗି ।
ବୋଲେ ବିଶି ମଧୁଶଯ୍ୟାରେ ପ୍ରବେଶ ବେଗି ।