(ଉପେନ୍ଦ୍ର ଭଞ୍ଜ— ରାଗ କାମୋଦୀ, ତାଳ ତ୍ରିପଟା)
ଦେଖି ନବକାଳିକା ବକାଳିକା ମାଳିକା
ଆଳି କାଳିକା କାନ୍ତ ସ୍ମରି
ରକ୍ଷା କେମନ୍ତେ କରି କରିବା ମତ୍ତକରୀ
ଗତିକି ଏମନ୍ତ ବିଚାରି
ରେ ସହଚରି ।
ଭାବେ ବଞ୍ଚିଲେ ଏ କାଳକୁ
କଥା ଥିବ କାଳ କାଳକୁ
ଏତେକ କ୍ଷୀଣ ଦିନ ହେଲା ଦୁର୍ଦ୍ଦିନ ଦିନ
ନ ଲଭୁ ବଲ୍ଲଭମେଳକୁ ରେ ।୧।
ହିତ ଆନମାନଙ୍କୁ ସତ କାମିଜନଙ୍କୁ
ଅହି ପରା ଅହିତ ଏହି
ହତ କୃଶାନୁ ସାନୁମାନରୁ ଭାନୁ ଭାନୁ
ତାପରୁ ନିସ୍ତରିଲା ମହୀ
ରେ ସହଚରି ।
ବିରହାନଳ ହୃଦସ୍ଥଳେ
ଜଳେ ସେ ହତ ନୋହେ ଜଳେ
କରୁଛି ଜାତ ଜାତ ବେଦକୁ ସତ ସତ
ହ୍ରଦା-ଛଳରେ ଘନ କୋଳେ ରେ ।୨।
ଯେଉଁ ସୁନ୍ଦରୀ ଦରୀଭୂତରୁ ଗଣ୍ଡ ଧରି
ଧରିତ୍ରୀ ଶୟନ କରିଛି
କଣ୍ଠେ ଜୀବନ ବନ ପୂର୍ଣ୍ଣ ନୟନ ଘନ
ଘନ ନିଶ୍ଵାସକୁ ଛାଡ଼ୁଛି
ରେ ସହଚରି ।
ପକାଇ ଆପଣା ଅଙ୍କର
ଲୋଡ଼ିଲେ ନ ଲଗାଇ କର
ଯେହୁ ଏଡ଼େ ଦୁର୍ବଳ ଝଞ୍ଜାନିଳ ପ୍ରବଳ
ଉଡ଼ିଯାଇଟି ଯତ୍ନ କର ରେ ।୩।