Aprakruta Prema Murti Jaya Radha Hari

ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି
(Abhimanyu Samanta SingharaJati)
(ଅଭିମନ୍ୟୁ ସାମନ୍ତସିଂହାରଯତି)

ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି । 
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ହେ ।୧।

ଆଦି-ଅନାଦି କାରଣ ନିର୍ଗୁଣ ସଗୁଣ । 
ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ହେ ।୨।

ଇଶ୍ଵର ସ୍ଵତନ୍ତ୍ର ସ୍ଵୟଂ ଭଗବାନ ତୁହି । 
ଇଚ୍ଛାମୟ ସର୍ବଶକ୍ତି-ବନ୍ତ ତତ୍ତ୍ଵ ବିହି ହେ ।୩।

ଈଶ ଶେଷାଦି ସେବକ ସେବ୍ୟ ଏକା ତୁହି । 
ଇଷ୍ଟ ଅଭୀଷ୍ଟଦ ଦୟାନିଧି ଭାବଗ୍ରାହୀ ହେ ।୪।

ଉତ୍ପତ୍ତି ପାଳନାନ୍ତ ତୋ ଭ୍ରୂଭଙ୍ଗୀ ବିକାରେ । 
ଉତପ୍ଳୁତ ତନ୍ତୁବାୟ ସୂତ୍ର ପରକାରେ ହେ ।୫।

ଊର୍ଣ୍ଣନାଭିବତ ଖେଳୁ ଇଚ୍ଛାଶକ୍ତି ବଳେ । 
ଉଦ୍ଭବ ହୋଇ ତୁ ଧର୍ମ ସ୍ଥାପୁ କାଳେକାଳେ ହେ ।୬।

ଋକ ଯଜୁ ସାମ ବହୁ ଶ୍ରୁତି ଶାସ୍ତ୍ର ଭେଦେ । 
ରୂପ ଗୁଣ ଯଶ ଅଛି ଅଶେଷ ସମ୍ପାଦେ  ହେ ।୭।

ରୁଚିର ଚରଣ ନଖ ଛଟାର ମହିମା । 
ରୁକ୍ଷ ସଂଖ୍ୟା କଳ୍ପେ କଳ୍ପି ନ ପାରିଲେ ସୀମା ହେ ।୮।

ଲୁବ୍ଧକ ତାରକ ବ୍ରହ୍ମା ହର ଗର୍ବ ହର । 
ଲୁଟାଇ ପାର କୃପାରେ ମୁକତି ଭଣ୍ଡାର ହେ ।୯।

ଲୁଠ ଅଳି କରି କୋଳି ପାଇଁ ଯଶୋଦାଙ୍କୁ । 
ଲୋଳୁପ ଗୋପୀ ବଦନାମ୍ବୁଜ ପୀୟୂଷକୁ ହେ ।୧୦।