Arunambuja Charana

ଅରୁଣାମ୍ବୁଜ ଚରଣା
(Kabisurjya— Raga Pilu)
(କବିସୂର୍ଯ୍ୟ— ରାଗ ପିଲୁ)

ଅରୁଣାମ୍ବୁଜ ଚରଣା ତୁ ରସାରେ ଭରସାରେ
କରୁଣାନିଧି ଶରଣାଗତଠାରେ କି ରୁଷାରେ ।ପଦ।

ଅସିତ କେଶି ମୁଁ ତୋ ପରିଚାର
ରୁଷିକି ନ କରି କିଛି ବିଚାର
ସ୍ଵଗୁଣ ସରିତ ପତି ତୋ ପରିତ ନାହିଁ ସରସାରେ ।୧।

ନ ରହି ସୁଦନ୍ତି ବଦନ ପୋତି
କଳପ ଅଳପ ହସନ ମୋତି
ମୃଦୁଳ-ସରସ-ରସ ହୃଦୟା ତୁ ହୋ ନା ପରୁଷାରେ ।୨।

ନନେ ଉନ୍ମାଦ ଧୃତିକି ଛାଣି
ଗରଳ ଗିଳିବଟି ପିକବାଣି
ତରକି ହୃଦୟ କର କିଶଳୟ ଗଣ୍ଡେ ତ ରସାରେ ।୩।

ନକର ମୁକୁରମୁଖୀ ନିରାଶ
ବିଷମ ବଡ଼ କୁସୁମ ଶରାସ
ସହଜରେ ମିତ ବଚନ ଅମୃତ ଧାରା ବରଷାରେ ।୪।

ଅତିରତି ପରି ଚିନ୍ତି ସୁଧୀର
ନୀତି ପୁଣି ମୁରମଥ ନ ଗୀର
ଅଷ୍ଟଦୁର୍ଗପତି କହେ ସ୍ମିତବତୀ ହେଲେ ତରସାରେ ।୫।