(କବିସୂର୍ଯ୍ୟ— ରାଗ ପଞ୍ଚମ ବରାଡ଼ି)
କଳା ବଳାହକତୁଳା ଦଳିତନୀଳକୁନ୍ତଳା
ଚଳାଚଳା ଚାରୁନେତ୍ରାଞ୍ଚଳା
ବାଳାବଳୟ ଇଟଳାଗଭାସଦୃଶୀ ମଞ୍ଜୁଳା
ଦଳା ଗୋରୋଚନାଙ୍ଗୀ କୋମଳା ରେ, କଳାବତୀ
କଳାନିଧି ଶ୍ରୀମୁଖ ମଣ୍ଡଳା
ଢଳାନେତ୍ରେ କର ମୋ ସଙ୍ଖଳା
ବାଳାହଳାହଳଗିଳାଚୂଳାଭରଣ କୋମଳା
ଜଳାତି ନିର୍ମଳାତିବତ୍ସଳା ରେ ।୧।
କି ମାନିବା ସୀମାଦେଖି ପ୍ରମାଦ ମାର୍ଗ ଉପେକ୍ଷି
ରମା ସମାଜ ମାନଙ୍କୁ ହରି
ସମାନ ବିମ୍ବ ଚନ୍ଦ୍ରମା ମୁହିୀ ତୋ କୁନ୍ତଳେ ଜମା
ହେଲା ତମାଳମାଳ ମାଧୁରୀ ରେ, କ୍ଷମାନିଧି
ଗୁମାନ ମାତ୍ର ନଧର ମୋରେ
ଜମାଅ ମାଗୁଛି ପୟୋଧରେ,
ରମା ଉମା ତୁରଙ୍ଗମା ସମାନସାଧ୍ୟ ମଧ୍ୟମା
ଗମାର ମାର ମାରୁ ନା ଶରେ ରେ ।୨।
ତୁଷାର ସାମ୍ୟ ସୁପ୍ରହସାନନା ତୁ ମୋର ଶୁଭ
ଦଶାର ସାର ସାମଗ୍ରୀବର
ତୁ ସାର ସାକ୍ଷୀ କି ହେଜି ପ୍ରାସାଦ ସାମ୍ରାଜ୍ୟ ତେଜି
ରୁଷା ରୁଷାରୁ ସାମର୍ଥ୍ୟ ମୋର ରେ, ରସାଳସା
ମୁଁ ସାରସ ଚରଣରେ ପଶି
ଅସାର ସଙ୍ଗରେ ନାହିଁ ବସି
ତୁ ସାରାସାରବିବେକଈଭୂଷା ତୁ ସାକ୍ଷୀ ତହିଁକି
ରସାଅ ସାର୍ଥରେ ଥରେ ହସି ରେ ।୩।
ହରାପରାଧୀ ଦୁର୍ଜର ନାରାଜରାଜିରେ ମୋର
ପରାଭବ ଏକା କଲେ ଫନ୍ଦା
ଧରାଧରାଧିପସ୍ତନା ଚରାଚରାନ୍ତେ ତୋ ବିନା
ପରାଭବ କାହିଁ ନିନ୍ଦା ରେ, ଧରାଝରା
ଅରାତି ନୁହଇ ମୁଁ ସୁକେଶା
ଖରାପ ନକର ଏଡ଼େ ଆଶା
ସ୍ମରାତୁର ଜଳନ୍ତରଧରାମରାବତୀସୁର
ପରାଣ ପାଇଲେଟି ପ୍ରଶଂସା ରେ ।୪।