(ସିଂହାରୀ ଶ୍ୟାମସୁନ୍ଦର କର— ରାଗ କଲ୍ୟାଣ, ତାଳ ରୂପକ)
ନବଧା ପଡ଼ି ପ୍ରବନ୍ଧ
ଚାହାଁ ନୟନ ଚାପେ ମଦନମୋହନ ।ଘୋଷା।*
ଗଳେ ବାସ ବନଫୁଲ କି ଶୋଭା
ଭାଲେ ରୋଚନା କି ମନଲୋଭା
ଶ୍ୟାମ ତ୍ରିଭଙ୍ଗ ଛନ୍ଦେ ଉଭା
ବାମେ ଅଳପ ଢଳିଛି ଗଭା
(ପଡ଼ି)
କାଳିୟଗରଗରଗଞ୍ଜନ
କାମିନିଜନମନରଞ୍ଜନ
କାନ୍ତି ନବଘନଶୋଭନ
ମୋହନ ଶୋଭନ ଚନ୍ଦନମଣ୍ଡିତ ବରଚନ୍ଦ୍ରାନନ ।୧।
କୋଟିମଦନ ଜିଣିଛି କାନ୍ତି
କୁନ୍ଦସୁମନ ଦଶନାପନ୍ତି
ଶ୍ରୀମୁଖ ଶତ ଶଶୀ ଖେଳନ୍ତି
ଶ୍ୟାମସୁନ୍ଦର ନମଇଁ ନିତି
(ପଡ଼ି)
ଜଗବନ୍ଦନ ସୁତ ନନ୍ଦର
ନବକଦମ୍ବବନସୁନ୍ଦର
ତେଜି ରଚେ କେତେ ହୁନ୍ଦର
ଅପଘନ ଘନ ଘନ ବହେ ମଧୁର ମନ୍ଦ ପବନ ।୨।
ପାଠାନ୍ତର : କୁଞ୍ଜେ ମଦନମୋହନ ।