(ଯଦୁମଣି)
(ଚନ୍ଦନ ହଜୁରୀଙ୍କ ନାମରେ ଭଣିତ)
ଚକାନୟନକୁ ପତିତ କେହି
ତକାଇ ଖର ନିଃଶ୍ୱାସ ପକାଇ
ଡକା ପକାଇ ଗରୁଡ଼ ପଛରେ
ବକାରି ମୋ ଆର୍ତ୍ତ ଶୁଣ ସତ୍ୱରେ ହେ
ଢକ୍କା ବାଜୁଛି ମହିମା ହେ
ଠକାର କରି କର୍ଣ୍ଣେ ଗିର ନ ଶୁଣ କାହିଁକି ବିଚିତ୍ରକର୍ମା ହେ ।୧।
କରୀ ହରିଣୀ ଦ୍ରୌପଦୀ ବିପତ୍ତି
ହରି ହରିଛ ପରା ଡେରି ଶ୍ରୁତି
ଦରିଦ୍ର ସୁଦାମାକୁ କୋଟିନିଧି
ପରିପୂର୍ଣ୍ଣେ ଦେଲ କୃପାବାରିଧି ହେ
ଧରି ଯା ମହିମା ଚିତ୍ତେ ହେ
ସରି ତ ଯାଉଛି ହରି ଆଉ ଥରେ ନ ଚାହିଁଲେ କୃପାନେତ୍ରେ ହେ ।୨।
ଆଜାନୁବାହୁ ମୁଁ ପତିତ ଜଣେ
ଅଜାମିଳୁଁ ବଳି ସହସ୍ର ଗୁଣେ
ଲଜ୍ଜା ହରି ନ ତାରିଲେ ନିକର
ଧ୍ୱଜା ଚକ୍ରରୁ ବହନ ଉତ୍ତାର ହେ
ମଜ୍ଜାରେ ମୁଁ ଏହା ଭାବେ ହେ
ବଜାଇ ଜୟ ଆର୍ତ୍ତତ୍ରାଣ ଡିଣ୍ଡିମ ହଜାଇ ଦେଉଛ ଏବେ ହେ ।୩।
ପିତାମାତା ସେବା ମୋର ବିଭଙ୍ଗ
ଲିତାକୁ ଲିତା ମୋ ଅସତ ସଙ୍ଗ
ସୀତାରେ ଅବଗାହି ନାହିଁ ଦିନେ
ଗୀତା ଭାବତ ନ ଶୁଣେ କର୍ଣ୍ଣେ ହେ
ପୀତାମ୍ବର ଚିତ୍ତେ ଚିନ୍ତ ହେ
କିତାପ ଚିତ୍ରଗୁପତୁଁ ଚିରାଇବ ମୋ ଅନ୍ତକାଳେ ଯେମନ୍ତ ହେ ।୪।
ବଟପୁଟବାସି ଆରତତ୍ରାଣ
ଘଟ ଘଟକେ ରହି ସର୍ବ ଜାଣ
ଖଟନ୍ତି ଯେଉଁ ଚରଣେ କମଳା
ହଟ କରି ମୋ ଦୁର୍ଦ୍ଦଶା ନ ଗଲା ହେ
ନଟବର ବେଶଧାରି ହେ
ଝଟତିରେ ପ୍ରଭୁ ଶ୍ରୁତି ଡେରି ଶୁଣ ଏ ଦୀନଜନ ଗୁହାରି ହେ ।୫।
ପାଣ୍ଡବପ୍ରିୟ ଦଣ୍ଡୁଛ କି ଦୋଷେ
ଦାଣ୍ଡକୁ ଏ କଥା କେମନ୍ତ ଦିଶେ
ଚାଣ୍ଡରେ ମଇତ୍ର ଛଳେ ଆପଣ
କାଣ୍ଡକରେ ନେଲ ବାଳୀର ପ୍ରାଣ ହେ
ତାଣ୍ଡବ ନୃତ୍ୟକାରୀଙ୍କି ହେ
ଭାଣ୍ଡ କରିଦେଲ ବିଷ୍ଣୁକୂଟ ମାୟା ଲଗାଇ ଦେଇ ଭେଳିକି ହେ ।୬।
ଆର ତ କେହି ନାହିଁ ମୋର ପ୍ରଭୁ
ଆରତତ୍ରାଣ ପରିତ୍ରାଣ ସବୁ
ସାରଥି ହୋଇ ପାର୍ଥରଥେ ଶ୍ୟାମ
ଭାରତ ଯୁଦ୍ଧେ ଭରତିଆ ଡିମ ହେ
ସାର ଘଣ୍ଟେ ଘୋଡ଼ାଇଣ ହେ
ମାରପିଅର ତା ପରାଣ ରଖିଣ ରୁହାଇଛ ବଡ଼ପଣ ହେ ।୭।
ପକ୍ଷହୀନଜନ ରକ୍ଷଣ ବୋଲି
ଲକ୍ଷଣଅଗ୍ରଜଙ୍କୁ ଆଶ୍ରେ କଲି
ପକ୍ଷଦାୟକ ହେ ଲକ୍ଷଣସୁଖ
ଦକ୍ଷପଣେ ରଖିବାରେ ନିରକ୍ଷ ହେ
ଲକ୍ଷ୍ୟ କେ ତୁମ୍ଭର ଅଛି ହେ
ବକ୍ଷ ବିଦାରିଛ ନଖେ ହିରଣ୍ୟର ପ୍ରହଲ୍ଲାଦ ମାନ ଇଚ୍ଛି ହେ ।୮।
ଧଣ୍ଡାମାଳବୁହା ଦୁର୍ଦ୍ଦଶାରାହୁ
ଚଣ୍ଡାଳ ଗ୍ରାସୁଅଛି ଚାହୁଁ ଚାହୁଁ
ଭଣ୍ଡାରେ ଖଣ୍ଡା ନାହିଁ କି ମଣିମା
ଗଣ୍ଡାକର ଦିଶୁନାହିଁ ମହିମା ହେ
ହଣ୍ଡା ମୋ ଯାଉଛି ଫାଟି ହେ
ଥଣ୍ଡା କରି କୃପାଜଳ ବୃଷ୍ଟି କର ମୋ ଚିତ୍ତଚାତକ ପାଟି ହେ ।୯।
ମନ୍ଦରଧର ନୀଳଗିରିବାସି
କନ୍ଦରବାସୀ ପ୍ରାୟେ ଅଛ ବସି
ପନ୍ଦରନେତ୍ର ଧାତା ପୁରନ୍ଦର
ବନ୍ଦନ କରନ୍ତି ଯେଉଁ ପୟର ହେ
ଛନ୍ଦ ଛାଡ଼ ଦେବରାଜେ ହେ
ନନ୍ଦନନ୍ଦନ ଶ୍ରୀଚରଣାରବିନ୍ଦେ ଚନ୍ଦନ ହଜୁରୀ ଭଜେ ହେ ।୧୦।