(ବନମାଳୀ)
ମଣିମା ହେ ଏତିକି ମାଗୁଣି ମୋର ।
ମରଣ କାଳରେ ଦରଶନ ଦେବ
କଳାମୁଖ କଳାକର ।ପଦ।
ମଥାରେ ଥିବ ମୋ ତୁମ୍ଭ ଛଡ଼ାମାଳ
ମୁଖରେ ଥିବ ତୁଳସୀ ।
ମନେ ମନେ ଭାଳି ସୁଖୀ ହେଉଥିବି
ନୀଳାଦ୍ରି ଶିଖରବାସୀ ।୧।
ମହାବାହୁଟେକା ଶ୍ୱେତପଦ୍ମ ଚକା
ନୟନକୁ ନିତି ଚାହିଁ ।
ମଜ୍ଜାରେ ପୁଲକ ପୂରୁଥାଉ ରଙ୍କ
-ନିଧି ଦୁଃଖିଜନ ସାଇଁ ।୨।
ମଙ୍ଗଳ ଆଳତୀ ଅବକାଶ କାଳେ
ଗରୁଡ଼ ପଛରେ ଥାଇ ।
ମୋହି ହେଉଥିବି ପ୍ରତି ନିଶାନ୍ତରେ
ତୁମ୍ଭ ଗୁଣ ଗାଥା ଗାଇ ।୩।
ମଞ୍ଜୁଳ ବଡ଼ସିଂହାର ବେଶ ଦେଖି
ମାରୁଥିବି କକ୍ଷତାଳି ।
ମରୁଆ ଦୟଣା ମାଳିଆଙ୍କୁ ଏତେ
ଅଳି କରେ ବନମାଳୀ ।୪।