(ବେଣୁଧର— ରାଗ ଆଭୀରୀ, ତାଳ ରୂପକ)
କିଶୋରି ଗୋ ତୁ ତ ନୂତନା ବାଳୀ
ବସିଲୁଣି କଳା ତନୁକୁ ଭାଳି ।ଘୋଷା।
ଜାଣି ନାହୁଁ ଧନ ତାର ସ୍ୱଭାବ
କେତେ ନିନ୍ଦା ହାଟ ବସାଇଦେବ
ତା ଦାଉକୁ ପାରିବୁଟି କି ସମ୍ଭାଳି
ଜାତି କୁଳ ଛଡ଼ା ସେ ବନମାଳୀ ।୧।
କୁଳ ମହତକୁ ଥିଲେ ତୋ ଡର
ନନ୍ଦନନ୍ଦନକୁ ତୁ ଆଶା କର
ଶୁଣିଛୁ ନା ବ୍ରଜେ ଚନ୍ଦ୍ରାର ଚରିତ
ହେଲାଣି ଯା ନାମେ ଗୀତ ଢମାଳି ।୨।
ବୋଲେ ବେଣୁଧର ଆଗୋ ରାଧିକେ
ମରଣୁ ବଳିବ ଲାଜ ଅଧିକେ
ମାନ ମୋ ବଚନ ପରାଣବାନ୍ଧବି
ସେ ଦିଗେ ନ ଯିବୁ ପହଣ୍ଡେ ଚାଳି ।୩।