(ଉପେନ୍ଦ୍ର ଭଞ୍ଜ— ରାଗ ଶଙ୍କରାଭରଣ, ତାଳ ସରିମାନ)
ନିର୍ମଳ ଚନ୍ଦ୍ରମଣ୍ଡଳ ଶରଦେ ବିରାଜି
ଦିଶେ ଯଥା ଦର୍ପକ ଦର୍ପଣେ ଥିଲେ ମାଜି
ଚାହିଁ କୁମର କାତର
ଲେଖି ଆରମ୍ଭିଲା ବସି ବିନୟ ପତର ।୧।
ଜାନକୀବଲ୍ଲଭ ପଦ୍ମପାଦେ ଚିତ୍ତ ଥାଉ
ରାଜସୁତା ପ୍ରୀତି କଉଶଳାକୁ ଚିଟାଉ
ଏବେ ମରୁଅଛି ଝୁରି
ଦରିଦ୍ର ରତନ ପାଇ ହରାଇଲା ପରି ।୨।
ତୁ ମୋ ପ୍ରତିଚକ୍ଷୁ ଯେଣୁ ହୋଇଛୁ ଅନ୍ତର
ଦିଶୁ ନାହିଁ କିଛି କାହିଁ ଆନ ପ୍ରତିକାର
ନୂଆ ଅନ୍ଧ ପ୍ରାୟ
ହୋଇ ଅନୁକ୍ଷଣେ ଆକୁଳ ବଢ଼ୁଛି ପ୍ରାଣସହି ।୩।
ଦୂରେ ଥିଲେ ପାଶେ ଅଛି ଏହା ଥିବୁ ଘେନି
କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀ
ପ୍ରୀତି ଅଭେଦ ତାଙ୍କର
ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର ।୪।
ଯେତେ ଦୂରେ ପତ୍ର ପଡ଼ିଥିଲେ ରେ ନବୀନା
ଚିହ୍ନା କି ନୁହଇ ଆନେ ବୃକ୍ଷ ନାମ ବିନା
ବନ୍ଧୁ ତେମନ୍ତ ମୁଁ ତୋର
ସବୁଠାରେ କୁହାଉଛି ସୁନ୍ଦରୀକୋୟର ।୫।
ଯେଣେ ଅନାଇଁଲେ ଇନ୍ଦ୍ରଜାଲ ପ୍ରାୟେ ଦିଶୁ
ମୁକୁରବିମ୍ବ ପରାୟେ ପାଶକୁ ନ ଆସୁ
ଏଡ଼େ ହଟ କାହିଁ ପାଇଁ
ମୋହ ଜାଣିବାରେ ତ ମୁଁ ଦୋଷ କରି ନାହିଁ ।୬।
ତୋ ପ୍ରୀତିରେ ଦ୍ରବେ କାମ ବିଶିଖକୁ ସହି
ବିଧୁଶିଳ ପ୍ରାୟେ କି ହୋଇଲା ମୋର ଦେହୀ
ମନ ଲୋହ ହୋଇଥିଲା
ତୋ ଚୁମ୍ବ ଚୁମ୍ବକ ବଳେ ହୃଦୁ କାଢ଼ି ନେଲା ।୮।
ବିରହକୁ ଉପଚାର ମାତ୍ର ମନୋହାରୀ
ପଲ୍ଲବଶଯ୍ୟାଦି ଯେତେ ବିଅର୍ଥରେ କରି
ଏବେ ଅନୁଭବ ହେଲା
ଗ୍ରହରେ ମଙ୍ଗଳପଦ ଯେମନ୍ତ ରହିଲା ।୧୦।
ବୃଦ୍ଧିନଦୀ ତଟ ତରୁ ପରାୟେ ଜୀବନ
ସନ୍ଦେହ ପଡ଼ିଛି ଏଥୁଁ ତରିବି କେସନ
ରାହୁଦଶା ପ୍ରାୟେ ମୋର
ସୁଧାପାନ ଉତ୍ତାରୁ ଛେଦନ ହେଲା ଶିର ।୧୧।
ଚନ୍ଦ୍ରକୁ ଚକୋର ଜଳଧରକୁ ଚାତକ
ପ୍ରାୟେ ତୋତେ କରିଥାଇ ମୁଁ ଆଶା ଅନେକ
ଧାତା ନଟକାର ପରି
ଦେଖାଇ ତ ହରି ନେଲା କନକଗଉରୀ ।୧୨।
ବାହାର ଅତି କଠୋର ଭିତର ସରସ
ନାଗରୀ ହୃଦୟ ନାରିକେଳର ସଦୃଶ
ଆଲିଙ୍ଗନେ କୃପାବଶେ
ଜାଣିଥିଲି ଆନ ହେଲା ବିଚ୍ଛେଦୁଁ ଏବେ ସେ ।୧୪।
ଏତେ କାଳେ କଲୁ ନାହିଁ ପତ୍ରିକା ପ୍ରଦାନ
ଦୂତ ପେଷି ଥରେ ହେଲେ ନ ସଙ୍ଖୋଳୁ ଧନ
ସହି ସେହି ହୃଦ ତୋର
ରସାଳ ପରାୟେ କି ହୋଇଲା ରାମାବର ।୧୫।