Sakhi Jiba Para Dekhi

ସଖି ଯିବା ପରା ଦେଖି
(Tarini Charan Patra— Raga Chakrabaka, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ ଚକ୍ରବାକ, ତାଳ ଏକତାଳି)

ସଖି ଯିବା ପରା ଦେଖି ମନମୋହନେ
ତୁଟୁ ସବୁରି ଶ୍ରମ ସଘନେ । ଘୋଷା ।

ଫୁଟୁ ମଲ୍ଲୀ ମାଳତୀ
ଜାଈ ଜୂଈ ସେବତୀ
ଛୁଟୁ ସୁବାସ କୁଞ୍ଜ କାନନେ
(ପଡ଼ି)
ସଞ୍ଜ ବେଳ ହେଲାଣି କଞ୍ଜ ଶୋଇଗଲାଣି
ଖଞ୍ଜନ ନୟନରେ ଅଞ୍ଜନ ଦିଅ ଧନୀ
ଅଞ୍ଜନ କେଶିନୀ କୁଞ୍ଜର ଗାମିନୀ
ଭଞ୍ଜନ ହେଉ ଦୁଃଖ ମଞ୍ଜୁଳ ମିଳନେ । ୧ ।

ହସୁ ଯମୁନା ତଟ
କଦମ୍ବ ବଂଶୀ ବଟ
ରସୁ ମିଳନ ଗାନ କୀର୍ତ୍ତନେ । ୨ ।

ମିଶୁ ଗଉର ଶ୍ୟାମ
ଜ୍ୟୋତି ଭାତି ସୁଷମ
ଦିଶୁ ତାରିଣୀ ହୃଦ ଲୋଚନେ । ୩ ।